Unknown

ସୁନ୍ଦରଦେଶ ଫିନ୍‌ଲାଣ୍ଡ୍‌

ଚିତ୍ତରଞ୍ଜନ ଦାସ

 

ଗୋଟିଏ ସୁନ୍ଦର ଦେଶ

ଇଉରୋପ ମହାଦେଶରେ ଏକାବେଳେକେ ଉତ୍ତର ପ୍ରାନ୍ତକୁ ଅବସ୍ଥିତ ଅତି ସାନ ଦେଶଟିଏ, କିନ୍ତୁ ପ୍ରକୃତରେ ଭାରି ସୁନ୍ଦର ଦେଶଟିଏ। ଦେଶଟିର ନାମ ହେଉଛି ଫିନ୍‌ଲାଣ୍ଡ୍। ଫିନ୍‌ଲାଣ୍ଡ୍ ଆଉ ଗୋଟିଏ ନାମ ଓ ଅସଲ ନାମ ହେଉଛି ସୁଓମି। ସେହି ଦେଶର ସୀମା ଟପି ଆହୁରି ଉତ୍ତରକୁ ଗଲେ ଖାଲି ସମୁଦ୍ର ଆଉ ସମୁଦ୍ର। ସମୁଦ୍ରର ସେ ପାଖକୁ ଉତ୍ତର ମେରୁ। ସମୁଦ୍ର ପୁଣି ଏମିତି ଯେ ବର୍ଷକୁ ଦଶମାସ ତାହା ବରଫ ହୋଇ ବସିଯାଏ। ପ୍ରାୟ ରାତିଦିନ ଝଡ଼ ବୋହୁଥାଏ।

 

ଫିନ୍‌ଲାଣ୍ଡ୍ ଦେଶରେ ମଣିଷଙ୍କ ଠାରୁ ଜଙ୍ଗଲ ବେଶୀ। ଦକ୍ଷିଣରୁ ଉତ୍ତରଯାଏ ଲମ୍ବି ରହିଥିବା ଏହି ଦେଶଟି ଏପାଖରୁ ସେପାଖ ଯାଏ ପ୍ରାୟ ପାଞ୍ଚଶହ କିଲୋମିଟର ହେବ। ଆଡ଼ିଆ ମାପିଲେ ସେହିପରି ଦୁଇଶହ କିଲୋମିଟର ହେବ। ମାତ୍ର ମଣିଷ ମୋଟେ ଚାଳିଶି କି ପଇଁଚାଳିଶି ଲକ୍ଷ। ଦେଶର ଚାରିଭାଗ ଭୂଇଁ ହେଉଛି ଜଙ୍ଗଲ। ସେହି ଜଙ୍ଗଲକୁ ସତେ ଅବା ମାଳାପରି ଛନ୍ଦି କରି ରଖିଥିବା ପ୍ରାୟ ଷାଠିଏ କି ପଞ୍ଚଷଠି ହଜାର ହ୍ରଦ। ସମତଳ ଭୂଇଁ ଖୁବ୍ କମ୍। ଦେଶଟାଯାକ ଆବଖାବଡ଼ିଆ। ଉତ୍ତର ଭାଗରେ ସାନ ସାନ ପାହାଡ଼। କୌଣସି ପାହାଡ଼ ଉପରକୁ ଚଢ଼ି ଚାରିଆଡ଼କୁ ଅନାଇଲେ ହ୍ରଦମାନଙ୍କୁ ଦେଖି ହୁଏତ ଆଖି ବି ପାଇବ ନାହିଁ। ଚତୁର୍ଦ୍ଦିଗ ସତେ ଅବା ଗୋଟିଏ ଚିତ୍ରପଟ ପରି ଦେଖାଯିବ। ଜଙ୍ଗଲର ଗଛ ଏବଂ ହ୍ରଦର ଜଳ ମିଶି ଏହି ଚିତ୍ରପଟଟିକୁ ତିଆରି କରିଛନ୍ତି। ହ୍ରଦ ଗୁଡ଼ିକ ଭିତରେ ପୁଣି ସାନବଡ଼ କେତେ କେତେ ଦ୍ୱୀପ। ଅଧିକାଂଶ ଦ୍ୱୀପରେ ମଣିଷମାନେ ବାସ କରନ୍ତିନାହିଁ। ଦ୍ୱୀପମାନଙ୍କରେ ଖାଲି ଗଛ। ମୁନିଆ ମୁନିଆ ପାଇନ୍ ଗଛ। ପାଇନ୍ ଗଛ ମଧ୍ୟ କେତେ ନା କେତେ ଜାତିର। ସେଗୁଡ଼ିକର ପତର ଛୁଞ୍ଚିପରି। ଆମ ଦେଶଣ ହିମାଳୟ ଅଞ୍ଚଳରେ ଖଣ୍ଡେ ଦୂର ଉପରକୁ ଉଠିଗଲେ ପାଇନ୍ ଜଙ୍ଗଲ ଦେଖିବାକୁ ମିଳିବ। ସେହି ପାଇନ୍ ଜଙ୍ଗଲ ଭିତରେ ଓସାରିଆ ପତ୍ରର ଅନ୍ୟ କେତୋଟି ଗଛ ଭିତରେ ଗୋଟିଏ ସୁନ୍ଦର ଗଛ ହେଉଛି ଭୂର୍ଜପତ୍ରର ଗଛ।

 

ଭୂର୍ଜ ଗଛର ଦେହ ହେଉଛି ଗୋଟାସୁଦ୍ଧା ଧଳା। ଗଛ ପାକଳ ହୋଇ ଆସିଲେ ସେଥିରୁ ଫର୍ଦ୍ଦ ଫର୍ଦ୍ଦ ବକଳା ଛାଡ଼େ। ଠିକ୍ କାଗଜର ଫର୍ଦଫର୍ଦ ପରି। ଯେତେବେଳେ ଆମ ପୃଥିବୀରେ କାଗଜ ତିଆରି ହୋଇ ନଥିଲା, ସେତେବେଳେ ଲୋକେ ଭୂର୍ଜଗଛର ବକଳରୁ ଚାରିକଣିଆ କରି କାଟି କାଗଜରୂପେ ବ୍ୟବହାର କରୁଥିଲେ। ଆମ ହିମାଳୟରେ ମଧ୍ୟ ପାହାଡ଼ ଉଠି ଉଠି କ୍ରମେ ସବୁ ପ୍ରକାରର ଜଙ୍ଗଲକୁ ପାର ହୋଇ ଯିବା ପରେ ଯାଇ ଭୂର୍ଜଗଛର ଜଙ୍ଗଲ ପଡ଼େ। ଭୂର୍ଜ ଜଙ୍ଗଲ ସେପାଖକୁ ଆଉ କୌଣସି ଜଙ୍ଗଲ ଦେଖିବାକୁ ମିଳେନାହିଁ। ସେଠି କେବଳ ତୃଣଭୂମି। ତୃଣଭୂମି ସେପାଖକୁ ଲଣ୍ଡା ପଥର, ଯେଉଁଠି ପ୍ରାୟ ସବୁଦିନେ ବରଫ ପଡ଼େ। ଶୃଙ୍ଗଗୁଡ଼ିକ ସେହି ବରଫ ଭିତରେ ବୁଡ଼ି କରି ରହିଥାନ୍ତି।

 

ଭୂର୍ଜଗଛ ଫିନ୍‌ଲାଣ୍ଡ୍ ଏକ ପବିତ୍ର ଗଛ। ଆମ ଭାରତବର୍ଷର ବର ଆଉ ଅଶ୍ୱତଥ୍ ଗଛପରି। ଭୂର୍ଜଗଛର ପବିତ୍ରତା ପ୍ରମାଣ କରିବାଲାଗି ସେଠାରେ କେତେକାଳରୁ ଲୋକମୁଖରେ କେତେ କାହାଣୀ ରହିଛି, କେତେ ଲୋକଗୀତ ବି ରଚନା କରାଯାଇଛି। ସେହି ଗୀତଗୁଡ଼ିକୁ ଏବେ ମଧ୍ୟ ଲୋକମାନେ ଗାଆନ୍ତି। ଭୂର୍ଜଗଛ ନଥିଲେ ଫିନ୍‌ଲାଣ୍ଡ୍ ଗ୍ରାମ୍ୟ ଜୀବନ ସଂପୂର୍ଣ୍ଣ ଭାବରେ ଅଚଳ ହୋଇ ରହିଥାନ୍ତା। ଭୂର୍ଜକାଠର କଡ଼ିବରଗା ହୋଇ ଦେଶର ଗାଁ ମାନଙ୍କରେ ଘର ତିଆରି ହୁଏ। ଘରର ଚଟାଣ ମଧ୍ୟ କାଠରେ। କାନ୍ଥଗୁଡ଼ିକ କାଠରେ। କାଠର ପଟାକୁ ଦୁଇ ପାଖରେ ପୋତି ମଝିରେ ସିମେଣ୍ଟ ଓ ପଥରକୁ ଧୁର୍ମୁଷ ଦ୍ୱାରା ଭାରି ଟାଣ କରି ସାନ୍ଦି ଦିଆଯାଏ, ତାହାହିଁ ହେଉଛି କାନ୍ଥ। ଘର ଛାତରେ ମଧ୍ୟ କାଠ ତିଆରି ଟାଇଲ୍ ବ୍ୟବହୃତ ହୁଏ। ଠିକ୍ ଆମ ଦେଶର ଖବର-ତିଆରି ଚାରିକଣିଆ ଟାଇଲ୍‌ପରି। ଆମ ଦେଶରେ ଏଗୁଡ଼ିକ ମାଟିରେ ତିଆରି ହୋଇ ଭାଟିରେ ପଡ଼ି ଲାଲ୍ ଦିଶୁଥାଏ। ସେ ଦେଶରେ ସେଗୁଡ଼ିକ କାଠକୁ ସରୁ ସରୁ ପରସ୍ତ କରି ତିଆରି କରାଯାଇଥାଏ। ଗାଆଁର ଅଧିକାଂଶ ଛାତକୁ ରଙ୍ଗରେ ଚକଚକ କରି ରଖାଯାଇଥାଏ। କାନ୍ଥଗୁଡ଼ିକ ଉପରେ ମଧ୍ୟ ମନର ରୁଚି ଅନୁସାରେ କେତେ ଭଳି ରଙ୍ଗ। କାନ୍ଥର ରଙ୍ଗ ଗୋଟାଏ ପ୍ରକାରର ଓ ଝରକାର ରଙ୍ଗ ଆଉ ଗୋଟାଏ ପ୍ରକାରର। ଛାତର ରଙ୍ଗ ଗୋଟିଏ ପ୍ରକାରର ଓ କବାଟର ରଙ୍ଗ ଆଉ ଗୋଟିଏ ପ୍ରକାରର। ସବୁଜ ଘନଜଙ୍ଗଲ ଭିତରୁ ଏହି ରଙ୍ଗୀନ୍ ଘରଗୁଡ଼ିକୁ ଅନାଇଲେ ସତେ ଅବା ବହୁରଙ୍ଗରେ ଚିତ୍ର କରାଯାଇଥିବା ଗୋଟିଏ ଗୋଟିଏ କାଠପେଡ଼ା ପରି ଦେଖାଯାଉଥାନ୍ତି। ଆଗକାଳେ ଆମ ଗାଆଁମାନଙ୍କରେ ବାହା ହୋଇ ଶାଶୁଘରକୁ ଯାଉଥିବା ଝିଅ ସାଙ୍ଗରେ ଯେଉଁ କାଠପେଡ଼ା ମଧ୍ୟ ଯାଉଥିଲା, ଠିକ୍ ସେହି କାଠପେଡ଼ୀ।

 

ନିତି ବ୍ୟବହାରରେ ଲାଗୁଥିବା ଘରର ବହୁତ ବସ୍ତୁ ଓ ପଦାର୍ଥ ଫିନ୍‌ଲାଣ୍ଡ୍ରେ କାଠରେ ତିଆରି, ଅଧିକାଂଶ ଭୂର୍ଜଗଛର କାଠରେ। ଘର ଭିତରେ ପଡ଼ିଥିବା ଖାଇବା ଟେବୁଲ୍ ଆଉ ଚେୟାର୍‌ ଗୁଡ଼ିକ ସେଇ ପୁରାତନ ଢଙ୍ଗରେ କାଠରେ ତିଆରି ହୋଇଥାନ୍ତି। ଟେବୁଲ ଗୁଡ଼ିକ ଏଡ଼େ ମୋଟା ଯେ ଗୋଟାଏ ଗୋଟାଏ ମାଦଳ ପରି ଦେଖା ଯାଉଥାନ୍ତି। ଜଙ୍ଗଲରେ କାଠର ତ ଅଭାବ ନାହିଁ, ତେଣୁ ମଣଷ କୃପଣ ହେବ କାହଁକି ? ଗାଆଁ ମାନଙ୍କରେ ଯାହା ଘରକୁ ଯିବ, ବସିବାର ଚଉକୀମାନଙ୍କ ଭିତରେ ଗୋଟିଏ ଝୁଲି ପାରିବାର ଚଉକୀ ନିଶ୍ଚୟ ରହିଥିବ। ବସିଲାମାତ୍ରକେ ମଣିଷ ଛାଏଁ ଛାଏଁ ଝୁଲିବାକୁ ଆରମ୍ଭ କରିବ। ଆମ ଦେଶରେ ଅତି ସାନ ପିଲାମାନେ ବସି ଝୁଲି ପାରୁଥିବା କାଠଘୋଡ଼ାମାନଙ୍କ ପରି। ଏବେ ସହରରୁ ଶିଖି ଲୋକେ ନୂଆ ଫେଶନର ଟେବୁଲ୍ ନିଜ ଘରେ ଆଣି ରଖିଲେଣି ସତ, ମାତ୍ର ଅଧିକାଂଶ ଘରେ ସେହି ପୁରୁଣା ଢଙ୍ଗର ମୋଟା ମୋଟା ଟେବୁଲ୍ ଓ ଚଉକୀ। ବିଭିନ୍ନ ଉଜ୍ଜ୍ୱଳ ରଙ୍ଗ ଦିଆହୋଇ ଛନଛନ ଦିଶୁଥାଏ। ସତେ ଅବା ଘରଟାଯାକକୁ ଉଜ୍ଜ୍ୱଳ କରି ରଖିଥାଏ।

 

ଘରେ ଚଉକୀ ଉପରେ ବସି ତୁମେ ଘରଭିତରେ ଯୁଆଡ଼େ ଅନାଇବ, ହୁଏତ ଅଧିକାଂଶ ଜିନିଷ କାଠର ହିଁ ଦେଖିବ। ଖାଇବା ପାତ୍ରଗୁଡ଼ିକ କାଠରେ ତିଆରି। ଚାମଚ ବି କାଠର। ବେଲା କଂସା କାଠର। ଏବେ ଅଧିକ ଥିଲାବାଲାମାନେ ଦୋକାନରୁ ଆଧୁନିକ ଗିନି ବାସନ ଓ ଧାତୁତିଆରି କଣ୍ଟା ଚାମଚ ଆଣି ଘରେ ଘରେ ରଖିଲେଣି ସତ, ମାତ୍ର ତଥାପି ପୁରୁଣା କାଠ ତିଆରି ଜିନିଷ ଗୁଡ଼ିକରୁ ସାନର ଅବଶ୍ୟ ସଦାଇତା ହୋଇ ରହିଛି। ଖାଦ୍ୟ ଦ୍ରବ୍ୟ ସାଇତି ରଖିବାର ଘୁମ ମାଠିଆ କାଠରେ ତିଆରି। ଦହି ବସାଇବା ହାଣ୍ଡି କାଠର ନହୋଇ ଆଉ କେଉଁଥିରେ ତିଆରି ହୋଇଥାନ୍ତା ? ଦହି ଗୋଳାଇବାର ସକଳ ସରଞ୍ଜାମ ମଧ୍ୟ କାଠର। ଆଗକାଳେ ଲୋକେ କାଠରେ ତିଆରି ହୋଇଥିବା ଜୋତା ବ୍ୟବହାର କରୁଥିଲେ। ବର୍ଷାକାଳରେ ଯେତେବେଳେ ବିଲବାଟ କାଦୁଆ ହୋଇଯାଏ, ଯେତେବେଳେ ଗୁହାଳ ଘରେ ଗୋବର ଭିତରେ ପଶି ଗୋରୁକାମ କରିବାକୁ ହୁଏ, ସେତେବେଳେ ଏହି କାଠର ଜୋତାମାନେ ଭାରି କାମରେ ଆସନ୍ତି। ସେଗୁଡ଼ିକୁ ଏବେ ମଧ୍ୟ ଏହିସବୁ କାମରେ ବ୍ୟବହାର କରାଯାଉଛି। କୂଅରୁ ପାଣି କାଢ଼ିବାର ବାଲ୍‌ଟି ମଧ୍ୟ କାଠରେ ତିଆରି।

 

ଆମ ଦେଶ ପରି ଫିନ୍‌ଲାଣ୍ଡ୍ରେ ରାତିଦିନ ଏତେ ସମାନ ନୁହେଁ। ପୃଥବୀ ଉପରେ ଆମେ ଉତ୍ତର ବା ଦକ୍ଷିଣ ଦିଗକୁ ଯେତିକି ଯେତିକି ମେରୁ ଆଡ଼କୁ ଯାଉଥିବା, ଦିନରାତି ସେତେିକି ସେତିକି ଅଧିକ ଅସମାନ ହେବାରେ ଲାଗିଥିବେ। ଫିନ୍‌ଲାଣ୍ଡ୍ ତ ଏକାବେଳେକେ ପୃଥିବୀର ଉତ୍ତର ସୀମାରେ ଅବସ୍ଥିତ, ତେଣୁ ଦିନ ଆଉ ରାତି ଭିତରେ ସେଠାରେ ବହୁତ ଫରକ ରହିଛି। ଶୀତଦିନରେ ଯାହା, ଖରାଦିନରେ ତାହାର ଠିକ୍ ଓଲଟା। ଖରାଦିନେ ଦିନ ବହୁତ ବଡ଼, ରାତି ବହୁତ ଛୋଟ ଏବଂ ଶୀତଦିନେ ରାତି ବହୁତ ବଡ଼, ଦିନ ବହୁତ ଛୋଟ। ଦେଶର ସବା ଦକ୍ଷିଣ ସୀମାରେ ଅବସ୍ଥିତ ରାଜଧାନୀ ହେଲ୍ସିଙ୍କି ସହରରେ ଖରାଦିନେ ଦିନ ହୁଏତ ଅଠର ଘଣ୍ଟା ଓ ରାତି ଛଅଘଣ୍ଟା। ସେହିପରି ଶୀତଦିନେ ରାତି ଅଠର ଘଣ୍ଟା ଓ ଦିନ ମୋଟେ ଛଅଘଣ୍ଟା। ବାହାରୁ ଯାଉଥିବା ମଣିଷମାନଙ୍କୁ ପ୍ରଥମେ ପ୍ରଥମେ ଭାରି ବିଚିତ୍ର ଲାଗିବ। ହେଲ୍ସିଙ୍କି ସହରରୁ ଆମେ ଯେତିକି ଅଧିକ ଉତ୍ତରକୁ ଯିବା ଶୀତଦିନ ହୋଇଥିଲେ ରାତି ସେତିକି ବଡ଼ ହେବାରେ ଲାଗିଥିବ ଏବଂ ଦିନ ସେତିକି ଛୋଟ ହେବାରେ ଲାଗିଥିବ। ଏବଂ ଯଦି ଖରାଦିନ ହୋଇଥିବ, ତେବେ ଦିନ ବଡ଼ ହେବାରେ ଲାଗିଥିବ ଓ ରାତି ଛୋଟ ହୋଇ ଯାଉଥିବ।

 

ରୋବାନିଏମି ବୋଲି ଗୋଟିଏ ବଡ଼ ସହର ହେଲ୍ସିଙ୍କିଠାରୁ ପ୍ରାୟ ସାଢ଼େ ତିନିଶହ କିଲୋମିଟର ଉତ୍ତର ଦିଗକୁ ଅବସ୍ଥିତ। ସେଠାରେ ଖରାଦିନେ ଏକୋଇଶି ଘଣ୍ଟା ଦିନ ଏବଂ ତିନିଘଣ୍ଟା ରାତି। ଏବଂ ଶୀତଦିନେ ଏକୋଇଶି ଘଣ୍ଟା ରାତି ଏବଂ ମୋଟେ ତିନିଘଣ୍ଟା ଦିନ। ସେଠାରୁ ଆହୁରି ଉତ୍ତରକୁ ପ୍ରାୟ ଶହେ କଲୋମିଟର ଗଲେ ଇଭାଲୋ ଓ ଇନାରି ନାମରେ ଦୁଇଟି ସାନ ସହର ଅଛି ଓ ଇନାରି ନାମରେ ବଡ଼ ହ୍ରଦଟିଏ ମଧ୍ୟ ରହିଛି। ସେହି ଅଞ୍ଚଳରେ ଖରାଦିନେ ବାଇଶି ଘଣ୍ଟାରୁ ଅଧିକ ଦିନ ଓ ଶୀତଦିନେ ବାଇଶି ଘଣ୍ଟାରୁ ଅଧିକ ରାତି। ପୁଣି, ଖରାଦିନରେ ଯାହାକୁ ସେଠାରେ ରାତି ବୋଲି କୁହାଯାଏ, ସେତେବେଳେ ବାହାରେ ବସି ଖାଲି ଆଖିରେ ବହି ମଧ୍ୟ ପଢ଼ିହେବ। ଆଲୁଅ ଦରକାର ହେବନାହିଁ। ଏବଂ ଶୀତକାଳରେ ଯାହାକୁ ଆମେ ଦୁଇଘଣ୍ଟିଆ ଦିନ ବୋଲି କହିବା, ସେତେବେଳେ ଚାରିଆଡ଼େ ସତେଅବା କୁହୁଡ଼ି, ଘେରିଥିଲା ପରି ଝାପ୍‌ସା ଦେଖାଯାଉଥିବ। ରାସ୍ତାରେ ଗଲାବେଳେ ରାସ୍ତା ମଧ୍ୟ ସ୍ପଷ୍ଟ କରି ଦେଖା ଯାଉନଥିବ। ତେଣୁ ମୋଟରଗାଡ଼ି ଓ ଅନ୍ୟାନ୍ୟ ଯାନବାହାନଙ୍କୁ ଆଲୁଅ ଜଳାଇ ଯିବାକୁ ପଡୁଥିବ। ନହେଲେ ଦୁର୍ଘଟଣା ଘଟିବାର ବହୁତ ଆଶଙ୍କା ରହିଥିବ।

 

ରୋବାନିଏମି ସହର ଠିକ୍ ମେରୁବୃତ୍ତ ଉପରେ ଅବସ୍ଥିତ। ଆମ ଭୂଗୋଳ ବହି ମାନଙ୍କରେ ଯାହାକୁ ତୁନ୍ଦ୍ରାପ୍ରଦେଶ ବୋଲି କୁହାଯାଏ, ସେହି ତୁନ୍ଦ୍ରାପ୍ରଦେଶ ଏହିଠାରୁ ଆରମ୍ଭ ହୋଇଛି ଏବଂ ଉତ୍ତର ଦିଗରେ ସ୍ଥଳଭାଗ ଶେଷ ହେବା ଯାଏ ପ୍ରସାରିତ ହୋଇ ରହଛି। ଫିନ୍‌ଲାଣ୍ଡ୍ ଭାଷାର ତୁନ୍ତୁରି ଶବ୍ଦରୁ ଭୂଗୋଳବହିର ତୁନ୍ଦ୍ରା ଶଦ୍ଦଟି ଆସିଛି। ତୁନ୍ତୁରି ଶବ୍ଦଟିର ଅର୍ଥ ହେଉଛି ଏପରି ଗୋଟିଏ ଗୋଟିଏ ସାନ ସାନ ଚଟା ପାହାଡ଼, ଯାହା ଉପରେ ଆଦୌ କୌଣସି ଗଛ କଅଁଳେ ନାହିଁ। ଅତିରିକ୍ତ ଥଣ୍ଡା ହେତୁ କୌଣସି ଉଦ୍ଭିଦ ବଞ୍ଚି ପାରେନାହିଁ। ତଳ ଅଞ୍ଚଳରେ ଘନ ଜଙ୍ଗଲ, ମଝିରେ ମଝିରେ ଏହି ପାହାଡ଼ ଗୁଡ଼ିକ ସତେଅବା କେଉଁ ଗୁରୁଜନ ଅଥବା କୁଳପୁରୋହିତଙ୍କର ଲଣ୍ଡା କପାଳଭାଗ ପରି ଦେଖା ଯାଉଥାଏ। ଖରାଦିନେ ସିନା ଏପରି ଦେଖା ଯାଉଥାଏ। ମାତ୍ର ଶୀତକାଳରେ ଚିକ୍‌କଣ ଓ ବହଳ ବରଫରେ ଆଚ୍ଛାଦିତ ହୋଇ ରହିଥାଏ। ସ୍ଥାନୀୟ ଅଧିବାସୀମାନେ ଆଗେ ଏହିସବୁ ପାହାଡ଼କୁ ପବିତ୍ର ମନେ କରି ପୂଜା କରୁଥିଲେ। ଏବେ ମଧ୍ୟ ଏହି ଉତ୍ତର ଅଞ୍ଚଳରେ ପ୍ୟୁହାତୁନ୍ତୁରି ବୋଲି ପାହାଡ଼ଟିଏ ରହିଛି। ଫିନ୍‌ଲାଣ୍ଡ୍ ଭାଷାରେ ‘ପ୍ୟୁହା’ ଶଦ୍ଦର ଅର୍ଥ ପବିତ୍ର। ଏବେ ଆଧୁନିକ ବୁଦ୍ଧି ଖଟା ହୋଇ ଏହିସବୁ ପାହାଡ଼ ଉପରକୁ ବିଦ୍ୟୁତ୍‌ଚାଳିତ ଝୁଲା କୁନିଗାଡ଼ିମାନ ପାହାଡ଼ ଉପରକୁ ଉଠିଯାଇ ପାରିବ। ପିଲାମାନଙ୍କର ବିଶେଷ ଆନନ୍ଦ ପାଇଁ ବିଦ୍ୟୁତ୍‌ଚାଳିତ ଖସଡ଼ା ମାର୍ଗ ମଧ୍ୟ ରହିଛି। ସେମାନେ ଆଗ ଝୁଲାଗାଡ଼ିରେ ପାହାଡ଼ ଚୂଳକୁ ଉଠି ତା’ପରେ ଅଙ୍କାବଙ୍କା ଖସଡ଼ା ମାର୍ଗରେ ବିଦ୍ୟୁତ୍ ବେଗରେ ସଡ୍‌ସଡ୍‌ ତଳକୁ ଖସିଆସି ପାରିବେ।

 

ଶୀତଦିନେ ଏହି ତୁନ୍ତୁରିମାନଙ୍କରେ ତ ରୀତିମତ ଉତ୍ସବ ଲାଗିଯାଏ। ଦଳଦଳ ହୋଇ ହଜାର ହଜାର ସଂଖ୍ୟାରେ କ୍ରୀଡ଼ାପ୍ରେମୀମାନେ ଏଠାକୁ ସ୍କି-ଖେଳ ଖେଳିବାକୁ ଆସନ୍ତି। ସ୍କି-ଖେଳରେ ପୁରା ପାଲିଶ୍ କରା ହୋଇଥିବା ଦୁଇଟି କାଠର ସ୍କି’କୁ ଦୁଇଗୋଡ଼ର ମୋଟାଜୋତାରେ ପେଚ ଭିଡ଼ି କଷିଦେବାକୁ ହୁଏ ଏବଂ ଦୁଇ ହାତରେ ଦୁଇଖଣ୍ଡ ବାଡ଼ି ଧରି ବରଫ ଉପରେ ସ୍କି କରିବାକୁ ହୁଏ। ତୁଷାରର ମସୃଣ ସମତଳ ଉପରେ କାଠଫାଳ ଦୁଇଟା ଆରୋହୀ ମଣିଷକୁ ତୀରବେଗରେ ତଳକୁ ଖସାଇ ଆଣୁଥାଏ ଏବଂ ମଣିଷଟି ହାତରେ ଧରିଥିବା ବାଡ଼ି ଦୁଇଖଣ୍ଡର ସାହାଯ୍ୟରେ ଯେଉଁ ଦିଗକୁ ଯିବାକଥା, ସେହି ଆଡ଼କୁ ନିଜକୁ ମୁହାଇଁ ନେଉଥାଏ। ଅଣ୍ଟାର କୌଶଳପୂର୍ଣ୍ଣ ଚାଳନା ଦ୍ୱାରା ଗତିର ଭାରସାମ୍ୟ ରକ୍ଷା କରାଯାଏ। ନଦେଖିଥିବା ମଣିଷକୁ ଅବଶ୍ୟ ଡର ମାଡ଼ିବାର କଥା। ମାତ୍ର, ଶୀତ ପ୍ରଧାନ ଦେଶଗୁଡ଼ିକର ମଣିଷମାନେ ପିଲାଟି ଦିନରୁ ଏହି କୌଶଳଟିରେ ଏପରି ଅଭ୍ୟସ୍ତ ହୋଇଯାଇଥାନ୍ତି ଯେ ବଡ଼ ହୋଇ ଅତ୍ୟନ୍ତ ସାହସିକତାର ସହିତ ସେହି କ୍ରୀଡ଼ାରେ ଯୋଗଦେଇପାରନ୍ତି। ଗୋଡ଼ରେ ସ୍କି’ ପିନ୍ଧି ଉଚ୍ଚ ସ୍ଥାନରୁ ତଳକୁ ଲମ୍ଫପ୍ରଦାନ ବି କରିହୁଏ। ହଜାର ହଜାର ଦେଖଣାହାରି ଏହି କ୍ରୀଡ଼ା ଓ ପ୍ରତିଯୋଗିତା ଗୁଡ଼ିକ ଦେଖିବାକୁ ଆସନ୍ତି।

 

ଆଗେ ଯେତେବେଳେ ମଟର ନଥିଲା କି ରେଳଗାଡ଼ି ନଥିଲା, ଏହି ସ୍କି ମନୁଷ୍ୟର ଏକାମତ୍ର ସାହାଯ୍ୟକାରୀ ହୋଇ ରହିଥିଲା। ଶୀତଦିନେ ଉଚ୍ଚ, ନୀଚ, ଢିପ, ଢାଲୁ ସବୁ ତୁଷାର ପଡ଼ି ଏକାକାର ହେଉଥିଲା। ହ୍ରଦମାନଙ୍କର ପାଣି ମଧ୍ୟ ପଥର ହୋଇ ବସି ଯାଉଥିଲା ଏବଂ ତା’ ଉପରେ ପ୍ରାୟ ପୁରୁଷେ ଉଚ୍ଚର ବରଫ ମଧ୍ୟ ପଡୁଥିଲା। ସେତେବେଳେ ବନ୍ଧୁଘରକୁ ସଂଖୋଳି ଗଲାବେଳେ କୌଣସି ଦରକାରୀ ଜିନିଷ କିଣିବା ସକାଶେ ପାଖରେ ଥିବା ବଜାର କିମ୍ବା ପେଣ୍ଠକୁ ଗଲାବେଳେ ମଣିଷମାନେ ସ୍କି’ରେ ଯିବା ଆସିବା କରୁଥିଲେ। ବିଦ୍ୟାଟି ଭଲ ଭାବରେ ଜଣାଥିଲେ ଜଣେ ମଣିଷ ଖୁସୀରେ ଗୋଟିଏ ଘଣ୍ଟାରେ ଚାଳିଶି ପଚାଶ କିଲୋମିଟର ବେଗରେ ମଧ୍ୟ ଯାଇ ପାରୁଥିଲା। ଗାଆଁର ପିଲାମାନେ ପିଠିରେ ବସ୍ତାନିମୁଣା ପକାଇ ସ୍କି ଚଢ଼ି ଇସ୍କୁଲକୁ ଆସୁଥିଲେ। ଏବେ ସେସବୁ ଚଳଣି କ୍ରମେ ଉଠିଯାଉଛି। ତଥାପି ଗ୍ରାମାଞ୍ଚଳରେ ଅବଶ୍ୟ ରହିଛି। ଏବେ ପ୍ରଧାନତଃ ଏକ କ୍ରୀଡ଼ାର ଆନନ୍ଦ ହିସାବରେ ତାହାର ଆଦର ବଢିବାରେ ଲାଗିଛି।

ଆମେ ପୁନର୍ବାର ସେହି ରୋବାନିଏମି ସହରକୁ ଫେରି ଆସିବା। ରୋବାନିଏମିରେ ଖରା ଋତୁରେ ରାତି ଗୋଟାକବେଳେ ସୂର୍ଯ୍ୟ ଅସ୍ତ ହୁଅନ୍ତି ଏବଂ ପୁଣି ତିନିଟା ସାଢ଼େ ତିନିଟା ବେଳକୁ ସୂର୍ଯ୍ୟ ଉଦୟ ହୁଅନ୍ତି। ଯଦି ଶୁକ୍ଲପକ୍ଷ ହୋଇଥାଏ, ତେବେ ବଙ୍କା ସୂତାଟିଏ ପରି ବିଚରା ଜହ୍ନଟି ମଧ୍ୟ ସେହି ଦିଗ୍‌ବଳୟ ପାଖରେ ଲଙ୍ଗପଙ୍ଗ ହେଉଥାଏ, ଭାରି ଧୂସର ଦେଖାଯାଏ। ଆମେ ଯାହାକୁ ରାତି ବାରଟା ବୋଲି କହନ୍ତେ, ସେଠାରେ ସେତେବେଳେ ଗୋଟାସୁଦ୍ଧା ଖରା ପଡ଼ିଥାଏ। ଘରର କାଚ କାନ୍ଥ ଓ ଝରକା ବାଟଦେଇ ଘା ଭିତରେ ମଧ୍ୟ ଖରା ବିଛାଇ ହୋଇ ପଡ଼ିଥାଏ। ଭୂଗୋଳ ବହିରେ ଏହାକୁ ମଧ୍ୟରାତ୍ରିର ସୂର୍ଯ୍ୟ ବୋଲି କୁହାଯାଇଛି। ଉତ୍ତର ଫିନ୍‌ଲାଣ୍ଡ୍‌କୁ ନିଶିଥ ସୂର୍ଯ୍ୟର ଦେଶ ବୋଲି କୁହାଯାଇଛି। ଅନେକ ପରିବାରରେ ସେତେ ବେଳ ଯାଏ ହୁଏତ ଲୋକମାନେ ଶୋଇ ନଥାନ୍ତି। ଦିନଯାକ ଖେଳି ଖେଳି ହୁଏତ ପିଲାମାନେ ହାଲିଆ ହୋଇ ଶୋଇ ପଡ଼ିଥାନ୍ତି ସିନା, ମାତ୍ର ବଡ଼ମାନେ ଶୋଇ ନଥାନ୍ତି। ହୁଏତ ଘରେ ବସି ଗପ କରୁଥାନ୍ତି, ଚାହାକଫି ପିଉଥାନ୍ତି। ମାତ୍ର ଚତୁର୍ଦ୍ଦିଗ ଶାନ୍ତ, ପ୍ରସନ୍ନ ଓ ସୁଶୀତଳ ହୋଇ ରହିଥାଏ। ଗୋଧୂଳିର ଉଜ୍ଜ୍ୱଳ ରଙ୍ଗ ଆକାଶକୁ ନିମଗ୍ନ ଓ ଶାନ୍ତ କରି ରଖିଥାଏ। ଅନେକ ସମୟରେ ଗଛରେ ଶାଖାଟିଏ ମଧ୍ୟ ହଲୁନଥାଏ। ଗଛର ମୁନିଆ ଅଗ ଗୁଡ଼ିକ ସତେଅବା ନିଶ୍ଚଳ ତପସ୍ୟାମଗ୍ନ ଭାବରେ ଆକାଶ ଆଡ଼କୁ ପ୍ରଲମ୍ବିତ ହୋଇ ରହିଥାନ୍ତି। ସିଏ ପ୍ରକୃତରେ ଏକ ଅପୂର୍ବ ଅନୁଭୂତି। ସାରା ପୃଥିବୀ ସତେଅବା ପ୍ରାର୍ଥନା କରି ବସିଥିଲା ପରି ମନେ ହୁଏ। ତା’ର କପାଳଟା କେଡ଼େ ଉଜ୍ଜ୍ୱଳ ଓ କେଡ଼େ ପ୍ରସନ୍ନ ହୋଇ ଦେଖା ଯାଉଥାଏ।

 

ଖରାଦିନେ ଫିନ୍‌ଲାଣ୍ଡ୍‌ରେ ଇସ୍କୁଲ କଲେଜ ସବୁ ବନ୍ଦ। ଖରାଦିନେ କହିଲେ ହୁଏତ ଭୁଲ୍ କୁହାହେବ। ଆମର ଏଠି ମାଘମାସରେ ସକାଳ ଓଳିଟା ଯେତିକି ଗରମ ଲାଗେ, ସେଠାରେ ଖରାଦିନେ ସେତିକି ଗରମ। ତେଣୁ ଶୀତୁଆ ଶୀତୁଆ ପବନ ଭିତରେ ସେତେବେଳେ ଖରାଟା ଭାରି ସୁଖଦାୟକ ମନେହୁଏ। ପିଲାଏ ସତେଅବା ଦିନଯାକ ବାହାରେ ଥାଆନ୍ତି, ସାଙ୍ଗମାନଙ୍କ ସହିତ ଖେଳ ଖେଳୁଥାନ୍ତି ଅଥବା କୁମ୍ଭୀର ପରି ଦେହରୁ ଲୁଗାପଟା ବାହାର କରିଦେଇ ଘର ଆଗ ପଡ଼ିଆରେ ମାଠଟା ଉପରେ ଖରାରେ ଗଡ଼ିବାରେ ଲାଗିଥାନ୍ତି। ଅଧିକାଂଶ ବଡ଼ମାନଙ୍କ ଲାଗି ମଧ୍ୟ ଲମ୍ବା ଗ୍ରୀଷ୍ମଛୁଟି ମିଳେ। ସହରବାସୀ ମଣିଷଙ୍କ ଭିତରୁ ଅଧିକାଂଶ ପରିବାରର ସହରଠାରୁ ଦୂରରେ ଅଥବା ବହୁଦୂରରେ ଗ୍ରୀଷ୍ମକୁଟୀର ରହିଥାଏ। କୋଉଠି ନିର୍ଜନ ଜଙ୍ଗଲ ଭିତରେ ହ୍ରଦ କୂଳରେ ଅରାଏ ଯାଗା ନେଇ ସେମାନେ ପ୍ରାୟ ଗୋଟାସୁଦ୍ଧା ନିଜେ କାମ କରି ଏହି ଛୁଟୀକାଳୀନ କୁଟୀର ଗୁଡ଼ିକ ନିର୍ମାଣ କରିଥାନ୍ତି। ଖରାଦିନେ ଅଧିକାଂଶ ଦିନ ସେମାନଙ୍କର ଏହି ଅସ୍ଥାୟୀ ନିବାସଟିରେ ହିଁ କଟେ, ସବୁ ଆଗ କାଳର ବ୍ୟବସ୍ଥା, ଆଧୁନିକତା ଯେତେ କମ୍ ପଶିପାରେ, ସେତେ ଅଧିକ ଭଲ। ଖାଇବା ପଦାର୍ଥ ସାଙ୍ଗରେ ଧରି ଆନନ୍ଦରେ ଜଙ୍ଗଲଯାକ ବୁଲି କୋଳି ତୋଳନ୍ତି। ବଡ଼ମାନେ ବି ବେଳେବେଳେ ପିଲା ହୋଇ ସେମାନଙ୍କ ସହିତ କୋଳି ଖାଇ ଯାଆନ୍ତି ଓ ଜିଭ କଳା କରି ଘରକୁ ଫେରନ୍ତି। ହ୍ରଦରେ ମନଇଚ୍ଛା ପହଁରାହୁଏ। ଡ଼ଙ୍ଗାଖେଳ ବି ହୁଏ। ବିଶେଷ ସଉକ ଥିବା ମଣିଷମାନେ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଡଙ୍ଗା ଉପରେ ବସି ବନସିରେ ଅଥବା ଜାଲରେ ମାଛ ଧରନ୍ତି। କିଏ ଦୂରରେ ବଂଶୀ ବଜାଉଥାଏ। ତଥାପି ଅଚଳା ଶାନ୍ତି ବିରାଜିତ ରହିଥାଏ।

 

ଶୀତଦିନ ମଧ୍ୟ ସୁନ୍ଦର, ମାତ୍ର ତାର ପ୍ରକାର ଏକାବେଳେକେ ଅଲଗା। ଶୀତଦିନେ ଚାରିଆଡ଼ଯାକ ଶୁଭ୍ର, ତୁଷାର-ଧବଳ। ପାଇନ୍‌ଗଛ ଗୁଡ଼ିକରୁ ପତର ଝଡ଼େନାହିଁ ସତ, କିନ୍ତୁ ଟାଆସିଆଁ ଛୁଞ୍ଚିରେ ଭାଲୁଆ ହୋଇ ବଢ଼ିଥିବା ପତ୍ରଗୁଛ ଉପରେ ବରଫ ପଡ଼ି ଡ଼ାଳଗୁଡ଼ିକ ଏତେ ଭାରି ହୋଇଯାଏ ଯେ, ସେଗୁଡ଼ିକ ତଳଆଡ଼କୁ ନହକି ଆସେ। ଦୂରରୁ ଅନାଇଲେ ଗୋଟିଏ ଗୋଟିଏ ଗଛ ସତେଅବା କେବଳ ଶୁଭ୍ରତା ଦେଇ ତିଆରି ହୋଇଥିବା ବିମାନ ଭଳି ଦେଖା ଯାଉଥାଏ। କେଉଁ ଉଚ୍ଚ ଜାଗାରେ ଛିଡ଼ା ହୋଇ ନିଘା କରି ଅନାଇଲେ ଏକାବେଳେକେ ଦିଗ୍‌ବଳୟ ଯାଏ ଖାଲି ଶୁଭ୍ରତା ଏବଂ ଶୁଭ୍ରତା, ସେହି ଶୁଭ୍ରତା ଭିତରେ ଗଛଗୁଡ଼ିକ କୁଆଡ଼େ ପୋତି ହୋଇ ରହିଥାନ୍ତି। କେବଳ ଦେଖିଲା ମଣିଷ ହିଁ ଅନୁଭବ କରିପାରିବ। ଉତ୍ତାପ ବିଷୟରେ କିଛି ନ କହିବା ହିଁ ଭଲ। ଶୂନ୍ ଡ଼ିଗ୍ରୀଠାରୁ ପଚାଶ ବା ଷାଠିଏ ଡ଼ିଗ୍ରୀ ତଳେ ଯାଇ ରହିଥାଏ। ସେହି ଧବଳ ଶୋଭା ଉପରେ ଯେତେବେଳେ ଉଜ୍ଜ୍ୱଳ ସୂର୍ଯ୍ୟ କିରଣ ପଡ଼େ, ସେତେବେଳେ ରୂପାର ରଙ୍ଗରେ ଚାରିଆଡ଼ ଝଟକିଉଠେ।

 

ଘରଗୁଡ଼ିକ ମଧ୍ୟ ବରଫଲଦଉ ହୋଇ କମ୍ ସୁନ୍ଦର ଦେଖାଯାଏନାହିଁ। ଛାତଗୁଡ଼ିକ ଯଦି ଆମଆଡ଼ କୋଠାଘର ଗୁଡ଼ିକର ଛାତପରି ତିଆରି ହୋଇଥାନ୍ତା, ତେବେ ବରଫର ବୋଝରେ ମାତ୍ର ଅଳ୍ପ କେତେଟା ବର୍ଷରେ ନିଶ୍ଚୟ ଭୁଷୁଡ଼ି ପଡୁଥାନ୍ତା। ତେଣୁ ଅନୁଭବୀ ମଣିଷ ତେଣେ କୋଉ ଯୁଗରୁ ଘରଗୁଡ଼ିକୁ ଆଡ଼ଢ଼ାଲୁ କରି ତିଆରି କରିଛି, ଠିକ୍ ଆମ ଆଡ଼ର ଛପରଘର ପରି। ଶୀତଋତୁ ଆସିଲେ ବରଫ-ବର୍ଷା ଆରମ୍ଭ ହେବା ସଙ୍ଗେ ସଙ୍ଗେ ଘରର ଛାତ ଉପରେ ମଧ୍ୟ ବରଫ ଜମେ। ଭାରି ହୋଇ ସେସବୁ ତଳକୁ ଖସେ। ଘରର ଦୁଆରେ ମଧ୍ୟ କମ୍ ବରଫ ପଡ଼େ ନାହିଁ। ଅନେକ ସମୟରେ ଦୁଆରମୁହଁ ପାଖରୁ ହିଁ ଅଣ୍ଟାଏ ବା ତାହାଠାରୁ ଆହୁରି ଅ୍ରଧିକ ଉଚ୍ଚର ବରଫ ଜମା ହୋଇଥାଏ। ଯଦି ବରଫକୁ ଏମିତି ଜମା ହେବାକୁ ଛାଡ଼ି ଦିଆଯାଉଥାନ୍ତା, ତେବେ ଘର ଭିତରୁ ଆଉ ମୋଟେ ପଦାକୁ ବାହାରି ହେଉନଥାନ୍ତା। ତେଣୁ ବଡ଼ିସକାଳୁ ଉଠି ଆଗ ରାସ୍ତାଯାଏ ପଡ଼ିଥିବା ବାଟଟି ଉପରୁ ଫାଉଡ଼ା ସାହାଯ୍ୟରେ ବରଫ ସଫା କରିବାକୁ ହୁଏ। ରାସ୍ତାମାନଙ୍କର ମଧ୍ୟ ଅବିକଳ ସେହି ଦଶା। ଗୋଟିଏ ଯନ୍ତ୍ର ଅଛି, ଯାହାଦ୍ୱାରା କି ରାସ୍ତା ଉପରେ ବରଷି ଜମା ହେଉଥିବା ବରଫକୁ ସଫା କରି ଦୁଇପାଖକୁ ବାରବାର ଆଡ଼େଇ ଦେବାକୁ ପଡ଼ିଥାଏ। ଅର୍ଥାତ୍, କ୍ରମେ ରାସ୍ତାର ଦୁଇପଟେ ପୁରୁଷେ ଉଚ୍ଚର ବରଫ ଜମା ହୁଏ ଏବଂ ସ୍ୱୟଂ ରାସ୍ତାଟି ସତେଅବା ଗୋଟିଏ ସୁଡ଼ଙ୍ଗପରି ଦେଖାଯାଉଥାଏ।

 

ଗଛମାନେ ବରଫରେ ବୁଡ଼ିକରି ରହିଥାଆନ୍ତି। ଭୂର୍ଜଗଛରେ ପତ୍ରଗୁଡ଼ିକ ଶୀତଋତୁ ଆସି ପହଞ୍ଚିବାର ପୂର୍ବରୁ ହିଁ ହଳଦିଆ ହୋଇ ଏପରି ଝରି ଯାଇଥାନ୍ତି ଯେ ଗଛରେ ଗୋଟିଏ ହେଲେ ପତ୍ର ଦେଖିବାକୁ ମିଳେ ନାହିଁ। ପାଚିଲା ପତ୍ରଗୁଡ଼ିକର ଏକ ବହଳ ପରସ୍ତ ଉପରେ ଆଣ୍ଠୁଏ ଉଚ୍ଚର ବରଫ ଜମା ହୋଇ ରହିଥାଏ। ଚଢ଼େଇମାନେ ବିଦା ହୋଇ କୁଆଡ଼େ ଚାଲିଯାଇଥାନ୍ତି। ମେରୁବୃତ୍ତ ଅଞ୍ଚଳରେ ଯେଉଁ ଧଳଭାଲୁ ଅଛନ୍ତି, କେବଳ ସେହିମାନେ ହିଁ ଅମଡ଼ା ବରଫ ଭିତରେ କେଉଁଠାରେ କୋରଡ ପରି ଜାଗାମାନଙ୍କରେ ଲୁଚି ରହିଥାନ୍ତି। ସେହି ଅଞ୍ଚଳର ପ୍ରଧାନ ପ୍ରାଣୀ ହେଉଛି ବଲ୍‌ଗା ହରିଣ। ବଲ୍‌ଗା ହରିଣମାନେ ଅଧା ବନ୍ୟ, ଅଧା ଗୃହପାଳିତ। ଅର୍ଥାତ୍ ଖରାଦିନେ ସେମାନେ ମୁକ୍ତ ଭାବରେ ଜଙ୍ଗଲ ଭିତରେ ବୁଲୁଥାନ୍ତି। ସେଇଠି ତିନୋଟି ଦେଶର ସୀମା ଏକାଠି ମିଶିଥିବାରୁ, ସେମାନେ ଯେ କେତେବେଳେ ଏ ଦେଶର ସୀମା ଭିତରେ ଓ ପୁଣି କେତେବେଳେ ସେ ଦେଶର ସୀମା ଭିତରେ ବୁଲି ଘାସ ଖାଉଥାନ୍ତି, ତା’ର କିଛି ଠିକଣା ନଥାଏ। ମାତ୍ର ସେମାନଙ୍କ ଦେହରେ ଚିଆଁ ଦିଆହୋଇ ଗୋଟିଏ ସଙ୍କେତ କରି ଦିଆଯାଇଥାଏ। ଶୀତଦିନ ହେଲେ ସେମାନେ ସତେଅବା ସୁଂଘି ସୁଂଘି ବାଟ ଠଉରାଇଲା ପରି ନିଜ ମାଲିକମାନଙ୍କର ଜାଗାକୁ ବାହୁଡ଼ି ଆସନ୍ତି। ଏମାନଙ୍କୁ ସେତେବଳେ ଗୋଟିଏ ଗୋଟିଏ ଅଡ଼ା ଭିତରେ ଆବଦ୍ଧ କରି ରଖାଯାଏ। ଜଙ୍ଗଲ କାଠର ବାଡ଼ା ଦେଇ ଅଡ଼ାଗୁଡ଼ିକୁ ତିଆରି କରାଯାଇଥାଏ। ଗୋଟିଏ ଗୋଟିଏ ଅଡ଼ାରେ ଚାରିଶହ ପାଞ୍ଚଶହ କରି ବଲ୍‌ଗା ହରିଣ ରହନ୍ତି। ସେତେବେଳେ ସାନ ଅଣ୍ଡିରାମାନଙ୍କୁ ଖାସୁ କରି ଦିଆଯାଏ। ଲୋକେ ଡେରା ପକାଇ ଅଡ଼ା ବାହାରେ ହରିଣମାନଙ୍କୁ ଜଗିଥାଆନ୍ତି।

 

ଫିନ୍‌ଲାଣ୍ଡ୍ ଉତ୍ତର ଭାଗକୁ ଲାପ୍‌ଲାଣ୍ଡ କୁହାଯାଏ, ସେଠାରେ ଲାପ୍‌ମାନେ ବାସ କରନ୍ତି। ଲାପ୍‌ମାନେ ନିଜ ଘରେ ନିଜର ଲାପ୍ ଭାଷାରେ କଥା କହନ୍ତି, ଗୀତ ଗାଆନ୍ତି। ଗ୍ରୀନ୍‌ଲାଣ୍ଡରେ ବାସ କରୁଥିବା ଏସ୍କିମୋ ମାନଙ୍କର ଭାଷା ସହିତ ଏହି ଲାପ୍ ଭାଷାର କେତେକାଂଶରେ ସାମଞ୍ଜସ୍ୟ ରହିଛି। ଲାପ୍ ପିଲାମାନେ ଇସ୍କୁଲରେ ଫିନ୍‌ଲାଣ୍ଡ୍ ଭାଷାରେ ସବୁ ପାଠ ପଢ଼ନ୍ତି। ପ୍ରବଳ ଶୀତ ଓ ବରଫ ଭିତରେ ଜୀବନ ବଞ୍ଚିବାକୁ ହେଉଥିବାରୁ ସେମାନଙ୍କୁ ବଲ୍‌ଗା ହରିଣର ଚମଡ଼ାରୁ ତିଆରି ହୋଇଥିବା ପୋଷାକମାନ ପିନ୍ଧିବାକୁ ହୁଏ। ସେହି ଅଞ୍ଚଳରେ ତ ଦିନରାତି ଝଡ଼ପରି ଶୀତପବନ ବହିବାରେ ଲାଗିଥାଏ, ତେଣୁ ସେଥିରୁ ନିଜର ମୁଣ୍ଡକୁ ରକ୍ଷା କରିବାଲାଗି ସେମାନେ ଏକ ବିଶେଷ ପ୍ରକାରର ଟୋପି ବ୍ୟବହାର କରନ୍ତି। ସେମାନଙ୍କୁ ଉଜ୍ୱଳ ରଙ୍ଗ ଭାରି ଭଲ ଲାଗେ। ପୋଷାକଗୁଡ଼ିକ ଲାଲ୍, ନୀଳ, ହଳଦିଆ ଓ ଶାଗୁଆ ଏହିପରି ଚାରୋଟିଯାକ ରଙ୍ଗରେ କେଡ଼େ ସୁନ୍ଦର ଓ ଉଜ୍ଜ୍ୱଳ ଦେଖାଯାଏ। ମୁଣ୍ଡର ଟୋପି ମଧ୍ୟ ଏହି ଚାରୋଟି ରଙ୍ଗର କନାରେ ତିଆରି ହୋଇଥାଏ

 

ଯଦି ବିଶେଷ ଭାବରେ ଶୀତ ବଢ଼ିଯାଏ, ଆକାଶ ପୁରା ପରିଷ୍କାର ଥାଏ, ତେବେ ରାତିରେ ତାରାମାନେ କଇଁଫୁଲ ପରି ଫୁଟିଥାନ୍ତି ଓ କେଡ଼େ ଉଜ୍ଜ୍ୱଳ ଦେଖା ଯାଉଥାନ୍ତି। ସେହିଭଳି ରାତିମାନଙ୍କରେ ଥରେ ଥରେ ରାତିରେ ମେରୁ ଆଲୋକ ଦେଖିବାକୁ ମିଳେ। ଏହାକୁ ଆଲୋକ ନକହି ଆଲୋକର ବନ୍ୟା ବୋଲି କହିଲେ ଅଧିକ ଠିକ୍ ହେବ। ଆକାଶରେ ବିଭିନ୍ନ ରଙ୍ଗରେ ଆଲୋକର ବନ୍ୟା ବହିବାରେ ଲାଗିଥାଏ। ସେହି ଆଲୋକରେ ଅନ୍ଧାର ଭିତରେ ବୁଡ଼ି ରହିଥିବା ଭୂଇଁଟା ମଧ୍ୟ କେତେ କ୍ଷଣ ସକାଶେ କେଡ଼େ ଫରଚା ଦେଖାଯାଏ। ନାଲି, ଗୋଲାପୀ, ହଳଦିଆ, ଧଳା ଓ ଆହୁରି କେତେ କେତେ ସୁନ୍ଦର ରଙ୍ଗର ଆଲୁଅ ଏକାଠି ମିଶି ସରୁ ସରୁ ବେଣୀ ଭଳି ନଈଟିଏ ହୋଇ ଆକାଶମାର୍ଗରେ ବହିବାରେ ଲାଗିଥାନ୍ତି। ଆକାଶରେ ଘଡ଼ିକ ଲାଗି ଉତ୍ସବ ଲାଗିଥାଏ। ଶୀତରାତିରେ ଶୀତ ଭୁଲି ହୋଇଥାଏ। ନୂଆ ଦେଖୁଥିବା ମଣିଷର ସତେଅବା ମନେହୁଏ, ଭାଗ୍ୟରେ ଥିଲେ ଯାଇ ଆକାଶର ଏହି ଉତ୍ସବଟିକୁ ଦେଖିବାର ସୁଯୋଗ ମିଳେ।

 

ଏହି ଆଲୁଅ ପ୍ରକୃତରେ କେଉଁଠାରୁ ଆସେ କେଜାଣି ? ବୈଜ୍ଞାନିକମାନେ ଏହି ବିଷୟରେ ଭିନ୍ନ ଭିନ୍ନ କଥା କହନ୍ତି ଓ ଭିନ୍ନ ଭିନ୍ନ ମତ ଦିଅନ୍ତି। କେହି କହନ୍ତି, ପୃଥିବୀ ଅନୁକ୍ଷଣ ଘୁରୁଥିବାର ବେଗ ଦ୍ୱାରା ଉତ୍ତର ମେରୁରେ ଏହି ଆଲୋକର ସୃଷ୍ଟି ହୁଏ ଏବଂ ତାହା ଚାରିଆଡ଼କୁ ଛିଞ୍ଚାଡ଼ି ହୋଇପଡ଼େ। ଆହୁରି କେହି ଅନ୍ୟ ତଥ୍ୟ ବାଢ଼ନ୍ତି। ଫିନ୍‌ଲାଣ୍ଡ୍ ଭାଷାରେ ଏହି ମେରୁ-ଆଲୋକକୁ ଗଧିଆର ମୁହଁରୁ ବାହାରୁଥିବା ଆଲୁଅ ବୋଲି କୁହାଯାଏ। ବିଶ୍ୱାସ କରାଯାଏ ଯେ ସୃଷ୍ଟିର ଆଦ୍ୟ କାଳରୁ ମେରୁଦେଶରେ ଯେଉଁ ଗଧିଆଟି ବସିରହିଛି, ମଝିରେ ସେଇ ବୋବାଳି ଛାଡ଼ିଲେ ତା’ ପାଟିରୁ ଆଲୁଅ ବିଚ୍ଛୁରିତ ହୋଇପଡ଼େ ଓ ତାହାହିଁ ଆକାଶରେ ଏହି ଆଲୋକ ବନ୍ୟାର ସୃଷ୍ଟି କରିଥାଏ। କେଉଁ ତଥ୍ୟଟି ସତ୍ୟ ନୁହେଁ, ପଣ୍ଡିତମାନଙ୍କ ଭିତରେ ମତଭେଦ ରହିଥିବା ସମୟରେ ଲୋକ ବିଶ୍ୱାସର ଏହି ଗଧିଆ ପାଟିରୁ ଆଲୁଅ ବାହାରୁଥିବା ତତ୍ତ୍ୱଟି ସବୁଠାରୁ ମନୋରମ ବୋଲି ମନେହୁଏ।

 

ଶୀତଦିନେ ଖାଲି ଗଡ଼ିଆ ପୋଖରୀ ନୁହନ୍ତି, ହ୍ରଦ ଓ ସମୁଦ୍ରର ପାଣି ମଧ୍ୟ ପଥର ହୋଇ ବସିଯାଏ। ହ୍ରଦର ମାଛମାନେ ସେତେବେଳେ ସତେଅବା ତାଳେ ତାଳେ ତଳେ ଯାଇ ରହିଥିବା ତରଳ ପାଣିରେ ଆଶ୍ରୟ ନିଅନ୍ତି ଓ ଖରାଦିନ ଆସିବାଯାଏଁ ଅପେକ୍ଷା କରି ରହନ୍ତି। ଏବଂ ହ୍ରଦ ଉପରେ ମଣିଷର ଖେଳ ଲାଗିଯାଏ। ପଥର ପରି ବସି ଯାଇଥିବା ପାଣି ଉପରେ ଟ୍ରକ୍ ଚାଲେ, ମଟର ଚାଲେ, ପିଲାମାନେ ମେଳ ହୋଇ ସାଇକେଲ ଚଲାନ୍ତି। ଚକ ଲାଗିଥିବା ଜୋତା ପିନ୍ଧି ସ୍କେଟିଙ୍ଗ୍ କରନ୍ତି। ସ୍କେଟିଙ୍ଗ୍ କରୁଥିବା ଅବସ୍ଥାରେ କେତେ କେତେ ଖେଳ ଓ କୌଶଳ ମଧ୍ୟ ଦେଖାନ୍ତି। ଠାଏ ଠାଏ ଏହି ସବୁ ପ୍ରତିଯୋଗିହୁଏ। କେତେ କେତେ ଦେଶରୁ ଲୋକମାନେ ସେହିସବୁ ପ୍ରତିଯୋଗିତାରେ ଭାଗ ନେବାକୁ ଆସନ୍ତି।

 

ଦୀର୍ଘ ଶୀତଋତୁ ଶେଷ ହେବାର ସମୟ ଆସିଲେ ବରଫର ବରଷିବା ବନ୍ଦ ହୋଇଯାଏ। ଉତ୍ତାପ ମଧ୍ୟ କ୍ରମଶଃ ବଢ଼ିବାକୁ ଆରମ୍ଭ କରେ। ବରଫ ଆସ୍ତେ ଆସ୍ତେ ତରଳେ। ସମୁଦ୍ର ଓ ହ୍ରଦମାନେ କ୍ରମେ ସମୁଦ୍ର ଓ ହ୍ରଦ ପରି ଦିଶନ୍ତି। ବିଲ, କ୍ଷେତ, ରାସ୍ତା, ପଡ଼ିଆ, ବଣ ଓ ଗହୀରରେ ମାସ ମାସ ଧରି ଯେଉଁ ପର୍ବତ ପ୍ରମାଣେ ବରଫ ହୋଇ ରହିଥାଏ, ତାହା ତରଳିବାକୁ ଆରମ୍ଭ କରେ। ଗାଆଁକୁ ବଢ଼ିପାଣି ଆସିଗଲା ପରି ମନେହୁଏ। ବରଫସବୁ ତରଳି ବହିଗଲା ପରେ ଭିତରେ ପୋତି ହୋଇ ରହିଥିବା ଶୁଖିଲାପତ୍ରର ସ୍ତରଟି ଦୃଷ୍ଟିଗୋଚର ହୁଏ। କିଛିଦିନ ଖରାପଡ଼ି ଭୂଇଁ ଶୁଖିଆସିବା ସଙ୍ଗେ ସଙ୍ଗେ ପତର ଭିତରେ ପୋତି ହୋଇ ରହିଥିବା ଶୁଖିଲାପତ୍ରର ସ୍ତରଟି ଦୃଷ୍ଟିଗୋଚର ହୁଏ। କିଛିଦିନ ଖରାପଡ଼ି ଭୂଇଁ ଶୁଖିଆସିବା ସଙ୍ଗେ ସଙ୍ଗେ ପତର ଭିତରେ ଶୋଇ ରହିଥିବା ମଞ୍ଜିଗୁଡ଼ିକରୁ ଗଜା ବାହାରନ୍ତି ଓ ଆଗାମୀ ଋତୁର ପ୍ରଥମ ଗଛରେ ପରିଣତ ହୁଅନ୍ତି। ଅନାବନା ଫୁଲମାନେ ଫୁଟି ରାସ୍ତାକଡ଼କୁ ଭର୍ତ୍ତି କରି ଦିଅନ୍ତି। ଭୂର୍ଜଗଛର ଡ଼ାଳରେ ମଧ୍ୟ ଉଷୁମ ବାଜି ପତରଗଜା ବାହାରେ। ଗଜାରୁ ପତର ହୁଏ, ଉଜ୍ଜ୍ୱଳ ସବୁଜ ରଙ୍ଗର ନିଆଁ ଲାଗିଗଲା ପରି ମନେହୁଏ। ଚଢ଼େଇମାନେ ଦୂରଦୂରାନ୍ତରୁ ଆସି ପହଞ୍ଚିଯାଆନ୍ତି। ମାସ ମାସ ପରେ ସେମାନଙ୍କର କାକଳି ଶୁଣିବାକୁ ମିଳେ। ଗୁଣ୍ଡୁଚିମୂଷାମାନେ ଶୀତ ଯାକ କେଉଁଠାରେ ଲୁଚି ରହିଯାଆନ୍ତି କେଜାଣି, ସେମାନେ ମଧ୍ୟ ଘାସ ଉପରେ, ଗଛ ଉପରେ ସେମାନଙ୍କର ଖେଳ ଆରମ୍ଭ କରିଦିଅନ୍ତି। ମଣିଷର ଆଖି ଦୀର୍ଘ ଏତେ ମାସ ପରେ ସବୁଜପତ୍ର ଦେଖେ। ସତେଅବା ପାଗଳ ପରି ହୋଇଯାଏ। କୋଉ ଗଛ ପରେ କୋଉ ଗଛରେ ପତ୍ର ଗଜା ବାହାରିବ, କୋଉ ଗଛ ପରେ କୋଉ ଗଛରେ ଫୁଲ ଧରିବ, ଲୋକମାନେ ସେସବୁ କଥାକୁ ସତେଅବା ମୁଖସ୍ଥ କରି ରଖିଥାନ୍ତି। ପ୍ରକୃତି ନୂଆ ବେଶ ପରିଧାନ କରେ। ମନୁଷ୍ୟମାନେ ମଧ୍ୟ ସତେଅବା ଏକ ନୂଆ ପୃଥିବୀରେ ପ୍ରବେଶ କରନ୍ତି।

 

ବରଷକର ଖାଇବା ଚାରିମାସରେ

ଇନାରି ହ୍ରଦ ବିଷୟରେ ଲାପ୍‌ମାନେ ଗାଉଥିବା ଗୋଟିଏ ଲୋକଗୀତରେ କେଡ଼େ କରୁଣ ଭାବରେ ବର୍ଣ୍ଣନା କରାଯାଇଛି ଯେ, ନିଜ ପାଇଁ ସଂସ୍ଥାନଟିଏ ଯୋଗାଡ଼ କରିବା ସକାଶେ ସେମାନଙ୍କୁ କେତେ କଠିନ ସଂଗ୍ରାମ କରିବାକୁ ପଡ଼େ। ଇନାରି ହ୍ରଦର ବରଫ ଜୁଲାଇ ମାସର ଆରମ୍ଭରେ ତରଳିବାକୁ ଆରମ୍ଭ କରେ ଏବଂ ଅକ୍ଟୋବର ନପୂରୁଣୁ ତରଳିଥିବା ପାଣି ପୁଣି ବରଫ ହୋଇ ବସିଯାଏ। ଅର୍ଥାତ୍, ବରଷଯାକର ଖାଦ୍ୟ ଉତ୍ପାଦନ କରିବା ଲାଗି ସେଠାରେ ଚାଷୀକୁ ମୋଟେ ତିନି ଚାରିମାସ ସମୟ ମିଳେ। ଫିନ୍‌ଲାଣ୍ଡ୍ ପ୍ରାୟ ସବୁ ଅଞ୍ଚଳରେ ସବୁ ଚାଷୀଙ୍କୁ ଅଳ୍ପବହୁତ ଏହି ଅବସ୍ଥାରେ ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ଚାରିମାସ ଭିତରେ ଯେଉଁ ଟୋପାକ ପାଣି ତା’ ବିଲରେ ବରଷେ, ଯାବତୀୟ ଚାଷ ପାଇଁ ପ୍ରଧାନତଃ ତାହାରି ଉପରେ ନିର୍ଭର କରିବାକୁ ପଡ଼େ। ତେଣୁ, ଧାନ ପ୍ରଭୃତି ଫସଲ ହେବାର ତ କୌଣସି ପ୍ରଶ୍ନ ହିଁ ଉଠୁନାହିଁ। ଗହମ ଯେତକି ହୁଏ, ପ୍ରଧାନତଃ ଦେଶର ଦକ୍ଷିଣ ଅଞ୍ଚଳରେ, ତେଣୁ ପ୍ରଧାନ ଫସଲ ହେଉଛି ମାଣ୍ଡିଆ, ଯଅ, ଆଉ ଆଳୁ। ସମଗ୍ର ଫିନ୍‌ଲାଣ୍ଡ୍ ପ୍ରଧାନତମ ଖାଦ୍ୟ ହେଉଛି ଆଳୁ ଓ ମାଣ୍ଡିଆର ରୁଟି। ଯୁଗଯୁଗ ଧରି ସେଠି ଚାଷୀକୁ ଏତକିରେ ସନ୍ତୁଷ୍ଟ ହୋଇ ରହିବାକୁ ପଡ଼ିଛି। ଏବେ ଅନ୍ୟ ଖାଦ୍ୟଦ୍ରବ୍ୟ, ଚାଉଳ ସମେତ, ପୃଥିବୀର ଦୂର ଦୂର ଦେଶରୁ ଆମଦାନୀ ହୋଇ ଆସୁଛି ସତ, ମାତ୍ର ସେଥିଲାଗି ମହଙ୍ଗା ଦାମ୍ ଦେବାକୁ ପଡୁଛି।

 

ତେଣୁ ଭଗବାନଙ୍କୁ ପ୍ରକୃତରେ ଅଶେଷ ଧନ୍ୟବାଦ ଦେବାକୁ ହେବ ଯେ ଖରାଦିନେ ସେହି ଦେଶରେ ଦିନଟା ବାରଘଣ୍ଟାର ନ ହୋଇ ଷୋହଳ କିମ୍ବା ଅଠର ଘଣ୍ଟାର ହେଉଛି। ଖରାଦିନେ ଫିନ୍‌ଲାଣ୍ଡ୍ ଚାଷୀ ପରିବାର କିପରି ଦିନର ଅଧିକାଂଶ ସମୟ କୃଷିକ୍ଷେତ୍ରରେ ହିଁ ଅତିବାହିତ କରେ, ସେକଥା ଲକ୍ଷ୍ୟ କରି ଦେଖିଲେ ପ୍ରକୃତରେ ଅବାକ୍ ହେବାକୁ ହୁଏ। ସେତେବେଳେ ଇସ୍କୁଲ ବନ୍ଦ ହୋଇଯାଏ, ବିଶ୍ୱବିଦ୍ୟାଳୟ ମଧ୍ୟ ବନ୍ଦ ହୋଇଯାଏ। ଘରର ସମସ୍ତେ ଘରକୁ ଆସିବେ ଓ ଚାଷକାର୍ଯ୍ୟରେ ଯଥାସମ୍ଭବ ଅଧିକ ସାହାଯ୍ୟ କରିପାରିବେ, ସେହି ଉଦ୍ଦେଶ୍ୟରେ ଏଭଳି ଏକ ବ୍ୟବସ୍ଥା କରାଯାଇଥାଏ। ରାତି ପାହି ସିନ୍ଦୂରା ଫାଟିଲା ବେଳକୁ ବଉଁଶଯାକ ସମସ୍ତେ ଘୋଡ଼ାଟଣା ଗାଡ଼ିରେ ବସି ଜମି ଉପରକୁ ଚାଲିଯାଆନ୍ତି। ସାଙ୍ଗରେ ଆବଶ୍ୟକ କୃଷିହତିଆର ଯାଇଥାଏ, ଦିନଯାକର ଖାଇବା ପଦାର୍ଥ ମଧ୍ୟ ଲଦାହୋଇ ଯାଇଥାଏ। ପିଇବା ସକାଶେ ଦହି ଯାଇଥାଏ, କଫି ପିଇବା ଲୋକଙ୍କ ସକାଶେ କଫି ମଧ୍ୟ ନିଆ ହୋଇଥାଏ। ସମସ୍ତେ କ୍ଷେତରେ ଯାଇ ପହଞ୍ଚିବା ମାତ୍ରକେ କ୍ଷେତର କାର୍ଯ୍ୟ ଆରମ୍ଭ ହୋଇଯାଏ। ବଉଁଶଯାକ କାମରେ ଲାଗିଯାଆନ୍ତି। ଫୁରୁସତ୍ ଅନୁସାରେ ଯାହାର ଇଚ୍ଛା ଆସି ଖାଇବା ଭଣ୍ଡାରରୁ ଖାଇ ଚାଲି ଯାଉଥାନ୍ତି। ଯାହାକୁ ଯେତେବେଳେ ହାଲିଆ ଲାଗିଲା, ସିଏ ଦଣ୍ଡେ ବିଶ୍ରାମ ମଧ୍ୟ ନେଇ ଯାଉଥାଏ। ମାତ୍ର କାମ କେତେବେଳେ ବନ୍ଦ ହୁଏ ନାହିଁ। ଶୋଷ କଲେ ଦହିଭାଣ୍ଡରେ ଦହି ମହଜୁଦ ହୋଇ ରହିଥାଏ। ଯେତେ ଖୁସୀ ସେତେ ପିଇପାରିବ। ବେଳ ବଢ଼ିଲା ସଙ୍ଗେ ସଙ୍ଗେ ଗରମ ମଧ୍ୟ ହୁଏ। ସେତେବେଳେ ଦହି ପ୍ରକୃତରେ ଭାରି ଶାନ୍ତି ଦିଏ। ମାଣ୍ଡିଆ ରୁଟିରେ ଲହୁଣୀ ଦେଇ ଭିତରେ ଖଣ୍ଡ ଖଣ୍ଡ ଆଳୁ ସିଝା, ଛେଦା ଅଥବା ଟୁକୁଡାଏ ମାଂସ ବି ରହିଥାଏ। ସେଇଥିରେ ଖରାବେଳର ଖାଇବା ମଧ୍ୟ ଚଳିଯାଏ। ଛାଇ ଲେଉଟେ, ତଥାପି କ୍ଷେତର କାମ ଲାଗିଥାଏ। ସେତେବେଳେ ମଧ୍ୟାନ୍ତର ବା ପରିବର୍ତ୍ତନ ଲାଗି ମନହେବା ମାତ୍ରକେ ସମସ୍ତେ ଆସି କଫି ପିଅନ୍ତି। କଫି ସହିତ ପୁଲ୍ଲା। ପୁଲ୍ଲା ହେଉଛି ଗୋଟିଏ ବିଶେଷ ପ୍ରକାରର ମିଠା ନରମ ପାଉଁରୁଟି। ଯାହାକି ଫିନ୍‌ଲାଣ୍ଡ୍ ପ୍ରତ୍ୟେକ ଚାଷୀ ଘରେ ତିଆରି ହୁଏ।

 

ମଣିଷ ପାଇଁ ଖାଦ୍ୟ, ଗୋରୁଙ୍କ ପାଇଁ ଖାଦ୍ୟ। ଗୋରୁଙ୍କର ବାରମାସର ଘାସକୁ ମଧ୍ୟ ଚାରିମାସରେ ସଜ କରି ରଖାଯାଏ। ଶୀତଦିନେ ତ ବିଲ ଓ ଆଡ଼ିଆମାନ ବରଫରେ ପୋତି ହୋଇ ରହିଥାଏ। ଗୋରୁମାନେ ପୁଣି ଚରିବେ କେଉଁଠି ? ତେଣୁ କିଛି ଅଂଶ ଜମିରେ ଫିନ୍‌ଲାଣ୍ଡ୍ ଚାଷୀ ଗୋରୁମାନଙ୍କ ପାଇଁ ଘାସ ମଧ୍ୟ ଚାଷ କରେ। ଏହି ଘାସ ଚାଷର ଅମଳ ପାଇଁ ପୁଣି ଏକ ସ୍ୱତନ୍ତ୍ର ପାଗ ହେବା ଏକାନ୍ତ ଆବଶ୍ୟକ ପରମାଣରେ ପାକଳ ହୋଇ ଆସିଲେ ଯେତେବେଳେ କାଟିବା ବେଳ ହୋଇଯିବ, ସେତେବେଳେ ଅନ୍ତତଃ ତିନି ଚାରିଦିନ ଟାଣ ଖରାପାଗ ନିତାନ୍ତ ହେବା ଦରକାର। ପାଗ ଦେଇଥିବା ବେଳେ ଘାସକୁ କାଟି ଗୋଟିଏ ଗୋଟିଏ ଖୁଣ୍ଟ ବିଲ ମଝିରେ ପୋତି ତାହାକୁ ଗଦା କରିବାକୁ ପଡ଼ିବ। ଘାସ ଭଲ କରି ଖରା ଖାଇବ, ମାତ୍ର ଶୁଖି କରି କୁଟା ହୋଇ ଯିବ ନାହିଁ। ତା’ପରେ ସେହି ଘାସକୁ ଘୋଡ଼ାଟଣା ଗାଡ଼ିରେ ଲଦି କାଠ ଢାବଲ ପରି ତିଆରି ହୋଇଥିବା ଘରେ ତାକୁ ଖୁନ୍ଦିଖାନ୍ଦି ରଖିବାକୁ ପଡ଼ିବ। ଶୀତଦିନଟା ଯାକ ଘାସ ସେଇ ଘାସ ଘରେ ସାଇତା ହୋଇ ରହିଥିବ। ଯେତେବେଳେ ଗୁହାଳରେ ଗୋରୁଙ୍କ ପାଇଁ ଘାସ ସରି ଯାଉଥିବ, ସେତେବେଳେ ଚାଷୀ ଘାସଘରକୁ ଯାଇ ପୁଳାଏ ପୁଳାଏ ଘାସ ପୁଣି ଘରକୁ ନେଇ ଆସୁଥିବ। ପରବର୍ତ୍ତୀ ବର୍ଷ ପୁଣି ଘାସ ଫସଲ ହେବା ଯାଏ ସେହି ସାଇତା ଘାସରେ ଗାଈମାନଙ୍କର ଗୁଜୁରାଣ ମେଣ୍ଟି ଯାଉଥିବ।

 

ଅଧିକରୁ ଅଧିକ ସମୟ ନିଜ କ୍ଷେତ୍ରରେ ଦେଇପାରିବ ବୋଲି ଫିନ୍‌ଲାଣ୍ଡ୍ ଚାଷୀ ଖରାଦିନକୁ ଆଉ ଅନ୍ୟ କୌଣସି କାମ ବାକି ରଖିନଥାଏ। ଆଉ ସବୁଯାକ କାମ ଯଥାସମ୍ଭବ ଶୀତଦିନରେ ହୁଏ। ଜଙ୍ଗଲରେ ପାକଳ ହୋଇ ଯାଇଥିବା ଗଛସବୁ ଶୀତଦିନରେ ହିଁ କଟାହୁଏ। ବର୍ଷଯାକର ଜାଳେଣି କାଠ ଶୀତଦନରେ ହିଁ ପ୍ରସ୍ନୁତ ହୋଇ ରହେ। ଘରର ବ୍ୟବହାର ସକାଶେ ଅନେକ ସମୟରେ ମାଉଁସ ମଧ୍ୟ ଶୀତଦିନରୁ କଟା ହୋଇ ମାଟିତଳ ଘରେ ସାଇତା ହୋଇ ରହିଥାଏ। ଏହି ମାଟିତଳର ଘର ହେଉଛି ସେହି ଦେଶରେ ପାରମ୍ପରିକ ଶୀତଳ ଭଣ୍ଡାର। ସେଠାରେ ଖରାଦିନରେ ନିଜ ଘର ବଗିଚାରୁ ଆବାଦ ହେଉଥିବା ପରିବା-ବନ୍ଧାକୋବି, ଗାଜର, ଫଳ ସବୁକିଛି ସେହି ଶୀତଳ ଭଣ୍ଡାରରେ ସାଇତା ହୋଇ ରହିଥାଏ। ପାରମ୍ପରିକ ଭାବରେ ଶହ ଶହ ବର୍ଷ ହେଲା ଫିନ୍‌ଲାଣ୍ଡ୍ ପ୍ରତ୍ୟେକ ଚାଷୀଘରେ ସୂତାକଟା ଓ ଲୁଗାବୁଣା ହୋଇ ଆସୁଛି। କପାର ନୁହେଁ, ପଶମର। କପାର ଯାବତୀୟ ସରଞ୍ଜାମ ବିଦେଶରୁ ଆସେ। କିନ୍ତୁ ପଶମର ପୋଷାକ, ସୁଏଟର୍, ଗୋଡ଼ ମୋଜା, ହାତ ମୋଜା ଓ ତଳପିନ୍ଧା ପ୍ରଭୃତି-ସବୁ ଘରେ ବୁଣା ହୁଏ। ଶୀତଦିନର ପ୍ରଚଣ୍ଡ ଶୀତକୁ ଏଡ଼ିବାପାଇଁ ଘରର କାଠ ଚଟାଣ ଉପରେ ମଧ୍ୟ ଅଧିକାଂଶ ଘରେ ପଶମର ଗାଲିଚା ବିଛା ହୋଇଯାଏ। ସେହି ଗାଲିଚା ଅଧିକାଂଶ ସ୍ଥଳରେ ନିଜ ଘରେ ବୁଣା ହୋଇଥାଏ। ଏବଂ ବିଶେଷ କନାରେ ତିଆରି ହୋଇଥିବା ସାନ ଗାଲିଚାସବୁ କାନ୍ଥରେ ଝୁଲାଇ ଘର ଭିତରଟିକୁ ଅଧିକ ସୁନ୍ଦର ଓ ସୁଦୃଶ୍ୟକରି ରଖିବା ମଧ୍ୟ ଫିନ୍‌ଲାଣ୍ଡ୍ କୋଉ କାଳରୁ ରହି ଆସିଥିବା ଏକ ଚଳଣି। ବିଶେଷ ଭାବରେ କୁଶଳୀ ହାତମାନ ଏହିସବୁ ଗାଲିଚାକୁ ନିଜ ଘରେ ବୁଣନ୍ତି। ଗାଆଁରେ ଅନେକ ଘରେ ଏସବୁ ବୁଣିବାର ତନ୍ତ ବି ପଡ଼ିଥାଏ।

ଖରାଦିନର ଅଠର ଘଣ୍ଟା ଯଦି କ୍ଷେତରେ କଟିବ, ତେବେ ପାଉଁରୁଟି ତିଆରି କରିବାକୁ ମଧ୍ୟ ଆଉ ବେଳ କେତେବେଳେ ମିଳିବ? ତେଣୁ ଖରାମାସ ମାନଙ୍କରେ ଘରେ ଖାଇବା ଲାଗି ଯେତିକି ପାଉଁରୁଟୀ ଆବଶ୍ୟକ, ତାହାକୁ ମଧ୍ୟ ଶୀତଦିନରେ ତିଆରି କରି ରଖିବାକୁ ହୁଏ। ଗୋଲ ଗୋଲ ମାଣ୍ଡିଆ ତିଆରି ପାଉଁରୁଟି, ଉଜ୍ଜ୍ୱଳ ତମ୍ବାବର୍ଣ୍ଣ ପରି ଚକଚକ ଦେଖାଯାଉଥାଏ। ମଝିରେ ଗୋଟିଏ ଲେଖାଏଁ କଣା। ସେଗୁଡ଼ିକୁ ଏକାଠି ଲମ୍ବା ବାଡ଼ିରେ ଗୁନ୍ଥି ଘର ଭିତରେ ଛାତ ତଳକୁ ଝୁଲାଇ କରି ରଖିବାକୁ ହୁଏ। ଏଡ଼େ ଥଣ୍ଡା ଜଳବାୟୁରେ ସଢ଼ିଯିବାର କି ଗନ୍ଧାଇବାର କୌଣସି ଭୟ ନଥାଏ। ଗାଆଁମାନଙ୍କରେ ଅଧିକାଂଶ ଚାଷୀଘର ଏପରି ତିଆରି ହୋଇଥାଏ ଯେ, ଘର ମଝିରେ ଚୂଲୀ ତିଆରି କରାଯାଇ ଥାଏ। ଲୁହାର ଚୂଲୀ, ଧୂଆଁ ଯିବାପାଇଁ ଘର ମଝିରେ ଧୂଆଁନଳୀ ଛାତକୁ ଭେଦି ଉପରକୁ ଯାଇଥାଏ। କାଠର ତ ଅଭାବ ନାହିଁ। ତେଣୁ ପ୍ରାୟ ଦିନଯାକ ଚୂଲୀରେ କାଠ ପଡ଼ି ଜଳୁଥାଏ ଏବଂ ତାହାରି ଗରମରେ ଘରଯାକ ଗରମ ହୋଇ ରହିଥାଏ। ଚୂଲୀକୁ କେନ୍ଦ୍ର କରି ଚାରିପାଖରେ ଶୋଇବା ଘର, ବସିବା ଘର ଓ ଚଳପ୍ରଚଳ ହେବାର ଆଉ ସବୁଯାକ ବଖରା ତିଆରି ହୋଇଥାଏ। ତେଣୁ, ବାହାରେ ଯେତେ ଥଣ୍ଡା ପଡ଼ିଥିଲେ ମଧ୍ୟ ଘରଭିତରଟା ଉଷୁମ ଥାଏ। ଭିତରେ ବେଶୀ ଗରମ ଲାଗିଲେ କୋଉଠି ଫାଳେ ଝରକାକୁ ଖୋଲି ଦିଆଯାଏ, ଯେପରିକି ବାହାରର ପବନ ଘର ଭିତରେ ଆସି ପ୍ରବେଶ କରିବ ଓ ଆଉ ଅତିରକ୍ତ ଗରମ ଲାଗିବନାହିଁ। ଏତେ ଥଣ୍ଡାରେ ମଧ୍ୟ ଲାପ୍‌ଲାଣ୍ଡର କେତେକ ଲୋକ ଦେହରେ ବହୁପରସ୍ତ ପୋଷାକ ପିନ୍ଧି ବାହାରେ ବାରଣ୍ଡା ଉପରେ ଶୁଅନ୍ତି। ଘର ଭିତରେ ଶୋଇଲେ ସେମାନଙ୍କୁ କୁଆଡ଼େ, ଏତେ ଗରମ ଭିତରେ ଅଣନିଃଶ୍ୱାସୀ ଲାଗେ ଓ ମୋଟେ ନିଦ ହୁଏ ନାହିଁ।

 

ଲକ୍ଷ୍ମୀମନ୍ତ ଚାଷୀର ଘରେ ଲକ୍ଷ୍ମୀମନ୍ତ ଗୋରୁଗାଈ। ଯେଉଁ ପରିବାରରେ ଦଶବାରଟି ଗାଈ ବି ଅଛନ୍ତି, ଗାଈର ଆବଶ୍ୟକ ଯାହା ଓ ସେବାରେ ତାକୁ ଏତେ ସମୟ ଦେବାକୁ ହୁଏ ଯେ ସାଧାରଣତଃ ତାକୁ ଚାଷବାସ ଭାଙ୍ଗି ଦେବାକୁ ହୁଏ। ଅବଶ୍ୟ ଏବେ ବହୁ ଉନ୍ନତ କୃଷି ଯନ୍ତ୍ରର ସାହାଯ୍ୟ ମିଳିବା ଫଳରେ ଚାଷରେ ଆଉ ଏତେ ସମୟ ଦେବାକୁ ପଡୁନାହିଁ ଏବଂ ତେଣୁ କ୍ଷେତକାମ ଓ ଗାଈକାମ ଦୁଇଟି ଯାକକୁ ସମ୍ଭାଳି ହେଉଛି। ଯାହା ହେଉ ପଛକେ, ଚାଷକାମ ତ ବରଷରେ ମାତ୍ର ଚାରିମାସ, କିନ୍ତୁ ଗାଈକାମ ବାରବାସ। ରାତି ପାହିବା ଆଗରୁ ଗୃହସ୍ଥ ଓ ଘରଣୀକୁ ଉଠି ସବାଆଗ ଗୁହାଳକୁ ଯିବାକୁ ପଡ଼େ। ଆଗ ଗୁହାଳ ସଫା, ତା’ପରେ ଗରମ ପାଣି ଦେଇ ଗୋରୁମାନଙ୍କୁ ଗାଧୋଇ ସଫା କରିଦେବା, ସେମାନେ ବନ୍ଧା ହେଉଥିବା ଜାଗାକୁ ମଧ୍ୟ ଠିକ୍ କରି ପରିଷ୍କାର କରିବା। ତା’ପରେ କ୍ଷୀର ଦୁହିଁବା। ଆମଆଡ଼ର ଗାଈ ହୋଇଥିଲେ ଗୋଟିଏ ସାନ ବାଲ୍‌ଟି ଦେଇ ଆଠଟା କି ଦଶଟା ଗାଈ ଦୁହାଁଯାଇ ପାରନ୍ତା ମାତ୍ର, ଗୋଟିଏ ଗାଈ ଯଦି ପ୍ରତ୍ୟହ ତିରିଶିରୁ ଚାଳିଶି ଲିଟର କ୍ଷୀର ଦେଉଥିବ, ଏବଂ ଚାଷୀର ଯଦି ଦଶଟି କି ବାରୋଟି ଗାଈ ରହିଥିବେ ତେବେ ସେମାନଙ୍କୁ ସମସ୍ତଙ୍କୁ ଦୁହିଁବା ପ୍ରକୃତରେ ଅସାଧ୍ୟ କାମ। ମଣିଷର ହାତ ପାଇଁ ଯାହା ଅସାଧ୍ୟ, ସେଥିଲାଗି ମଣିଷକୁ ମେସିନ୍‌ର ସାହାଯ୍ୟ ନେବାକୁ ହୁଏ। ମେସିନ୍‌ରେ ଗାଈ ଦୁହାଁଯାଏ। କ୍ଷୀର ଦୁହିଁ ଆଣିବାର ରବରନଳୀ ଗୁଡ଼ିକୁ ଗାଈମାନଙ୍କର ଚୀରରେ ଦେଇ ଲଗାଇ ଦେବାକୁ ହୁଏ ଏବଂ ପହ୍ନାରୁ କ୍ଷୀର ସରିଗଲେ ନଳୀଗୁଡ଼ିକୁ କାଢ଼ିଦେବାକୁ ପଡ଼େ। ଏତିକି ହେଉଛି ମଣିଷର କାମ। ଆଉ ସବୁ କାମ ମେସିନ୍‌ର। ନଳୀବାଟେ କ୍ଷୀର ଯାଇ ବଡ଼ ବଡ଼ ପାତ୍ରରେ ଜମା ହୁଏ ଏବଂ ସେହି ପାତ୍ରଗୁଡ଼ିକର ମୁହଁକୁ ଉତ୍ତମ ରୂପେ ବନ୍ଦ କରି ରାସ୍ତା କଡ଼ରେ ନେଇ ରଖି ଆସିବାକୁ ହୁଏ। ସମବାୟ ଦୁଗ୍‌ଧଶାଳାରୁ ଟ୍ରକ୍ ଆସି ସେଗୁଡ଼ିକୁ ରାତି ପାହିବା ବେଳକୁ ଉଠାଇ ନେଇଯାଏ।

 

ଖାଲି ପାତ୍ରଗୁଡ଼ିକୁ ଟ୍ରକ୍ ପୁଣି ଆଣି ଦିନରେ କେତେବେଳେ ରାସ୍ତାକଡ଼ରେ ପକାଇ ଦେଇଯାଏ। ଏବଂ ସେଗୁଡ଼ିକୁ ଧୋଇ ସଫା କରି ପୁଣି ତହିଁ ଆରଦିନ ଲାଗି ପ୍ରସ୍ତୁତ କରି ରଖିବାକୁ ହୁଏ। ଏତେ କ୍ଷୀର ଦେଉଥିବା ଗାଈକୁ ଖୁଆଇ ପିଆଇ ଉପଯୁକ୍ତ କରି ରଖିବା ମଧ୍ୟ ଆଦୌ ଏକ ସହଜ କାର୍ଯ୍ୟ ନୁହେଁ। ଖରାଦିନେ ଦିନରାତି ଚବିଶିଘଣ୍ଟା ସେମାନେ ଘାସର କ୍ଷେତରେ ରହନ୍ତି। ଖରା ଖାଆନ୍ତି, ଖୋଲା ପବନ ପାଆନ୍ତି, ମନହେବା ମାତ୍ରକେ ସେହି କ୍ଷେତରୁ ହିଁ ଘାସ ଖାଉଥାନ୍ତି। କ୍ଷେତରେ ଚାରିପାଖରେ କିଞ୍ଚିତ୍ ବିଦ୍ୟୁତ୍‌ଶକ୍ତି ରହିଥିବା ତାରର ବାଡ଼ କରି ଦିଆଯାଇଥାଏ, ଯାହାଫଳରେ କି ଗାଈମାନେ ଆଉ ବାହାରକୁ ଆସି ପାରନ୍ତି ନାହିଁ। ଗାଈର ଦେହରେ ତାର ଲାଗିବା ମାତ୍ରକେ ତାକୁ ଚାଉଁକିନା ଲାଗେ, ତେଣୁ ସିଏ ଆଉ ମୋଟେ ତାର ପାଖକୁ ଆସିବାକୁ ସାହସ କରେନାହିଁ। ଶୀତଦିନର ଦୀର୍ଘ ମାସ ଗୁଡ଼ିକ ଗାଈମାନେ ଗୁହାଳଭିତରେ ଆବଦ୍ଧ ହୋଇ ରହନ୍ତି। ସେମାନଙ୍କର ଯାବତୀୟ ହେପାଜତ ସେତେବେଳେ ସେହି ଗୁହାଳ ଭିତରେ ହିଁ ହୁଏ। ଗୁହାଳ ଭିତରେ ସବୁବେଳେ ଆଲୁଅ ଜଳୁଥାଏ, ଗାଈମାନଙ୍କୁ ଥଣ୍ଡା ନଲାଗିବା ପାଇଁ କୃତ୍ରିମ ଉତ୍ତାପ ମିଳିବାର ବ୍ୟବସ୍ଥା ମଧ୍ୟ କରାଯାଇଥାଏ।

 

କେବଳ ଗୋଟିଏ ତମ୍ବାଖଣି ବ୍ୟତୀତ ଫିନ୍‌ଲାଣ୍ଡ୍‌ରେ କୌଣସି ଧାତୁର ଖଣି ନାହିଁ। ଲୁହାର ନାହିଁ କିମ୍ବା କୋଇଲାର ନାଇଁ। ଫିନ୍‌ଲାଣ୍ଡ୍ ଅସଲ ଧନ ହେଉଛି ତା’ର ଜଙ୍ଗଲ। ସେହି ଦେଶର ଲୋକେ ଦେଶର ଅରଣ୍ୟ-ସମ୍ପଦକୁ ସେମାନଙ୍କର ‘ସବୁଜ ସୁନା’ ବୋଲି କହନ୍ତି। ଜଙ୍ଗଲର କାଠକୁ ନେଇ ଦେଶର ପ୍ରଧାନ ବ୍ୟବସାୟ। ନଦୀ ଓ ହ୍ରଦମାନଙ୍କରେ ଭେଳା କରି କାଠଗଡ଼ ମାନଙ୍କୁ ଜଙ୍ଗଲ ଭିତରୁ କରତକଳ ମାନଙ୍କୁ ଅଣାଯାଏ। ଆଗେ ଯେତେବେଳେ ବିଦ୍ୟୁତ୍‌ଶକ୍ତି ଦ୍ୱାରା ରେଳଗାଡ଼ି ଚଳାଇବାର ପ୍ରବର୍ତ୍ତନ ହୋଇ ନଥିଲା, ମାଲରୂପେ ବ୍ୟବହାର କରି ଫିନ୍‌ଲାଣ୍ଡ୍ରେ କେତେ ପ୍ରକାରର ଉଦ୍ୟୋଗ ଓ କାରଖାନା ଚାଲିଛି। ସେଥିମଧ୍ୟରୁ କାଗଜର କାରଖାନା ଗୋଟିଏ। ଇଉରୋପର ସବୁଠାରୁ ଉନ୍ନତ ପୁସ୍ତକ ପ୍ରକାଶନ ସଂସ୍ଥାଗୁଡ଼ିକ ମଧ୍ୟରୁ ଫିନ୍‌ଲାଣ୍ଡ୍ରେ ଏକାଧିକ ରହିଛି।

 

ଫିନ୍‌ଲାଣ୍ଡ୍ ଗୋଟିଏ ପଟରେ ସୁଇଡେନ ଓ ଆଉ ଗୋଟିଏ ପଟରେ ରୁଷିଆ। ରୁଷିଆରେ ମାତ୍ର ସତୁରୀ ପଞ୍ଚସ୍ତରୀ ବର୍ଷ ହେଲା କମୁନିଷ୍ଟ ସରକାରର ପ୍ରତିଷ୍ଠା ହେଲା ସିନା ତା’ ପୂର୍ବରୁ ଶହଶହ ବର୍ଷଧରି ସେଠାରେ ଅତ୍ୟନ୍ତ ପ୍ରତାପଶାଳୀ ସମ୍ରାଟମାନେ ରାଜତ୍ୱ କରୁଥିଲେ। ସୁଇଡେନର ରାଜବଂଶ ମଧ୍ୟ କମ୍ ପ୍ରତାପଶାଳୀ ନଥିଲେ। ଦୁଇ ଶାସକଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ଲାଗି ରହିଥିଲା। ତାହା ଫଳରେ ଫିନ୍‌ଲାଣ୍ଡ୍ କେତେବେଳେ ରୁଷିଆର କବଳରେ ପଡ଼ି ଯାଉଥିଲା ତ ପୁଣି କେତେବେଳେ ସୁଇଡେନର ଅଧୀନରେ ରହୁଥିଲା। ଅଧୀନ ରାଜ୍ୟଟିଏ ହୋଇ ରହିବା ଫଳରେ ଫିନ୍‌ଲାଣ୍ଡ୍ର ଅଧୀବାସୀମାନେ ଅତ୍ୟନ୍ତ ଅନୁନ୍ନତ ହୋଇ ରହିଥିଲେ। ଫିନ୍‌ଲାଣ୍ଡ୍ର ରାଜଧାନୀ ହେଲ୍‌ସିଙ୍କିରେ ଯେଉଁ ସବୁଠାରୁ ବଡ଼ ଗୀର୍ଜା ରହିଛି, ତାହାକୁ ଏକଦା ରୁଷିଆର ଜଣେ ସମ୍ରାଟ ତିଆରି କରିଛନ୍ତି। ଫିନ୍‌ଲାଣ୍ଡ୍ ସୁଇଡେନର ଅଧୀନ ହୋଇ ରହିଥିବା ବେଳେ ସେହି ଦେଶର ଲୋକଙ୍କ ଉପରେ ସୁଇଡେନ ଭାଷାକୁ ମଧ୍ୟ ଲଦି ଦିଆଯାଇଥିଲା। ସୁଇଡେନର ଭାଷାରେ ଚାଲୁଥିଲା, ବିଶ୍ୱବିଦ୍ୟାଳୟରେ ମଧ୍ୟ ସେହି ଭାଷାରେ ଶିକ୍ଷା ଦିଆଯାଉଥିଲା। ଫିନ୍‌ଲାଣ୍ଡ୍‌ ବାସୀଙ୍କର ନିଜର ଭାଷା ରହିଥିଲା ସତ, ମାତ୍ର ସେମାନେ କେବଳ ନିଜର ଘର ଭିତରେ ସେହି ଭାଷାରେ କଥାବାର୍ତ୍ତା ହେଉଥିଲା। ସେହି ଭାଷା ଦାଣ୍ଡରେ ଚଳୁନଥିଲା। ସେହି ଭାଷାରେ ଗୋଟିଏ ହେଲେ ଛାପା ବହି ନଥିଲା।

 

ପ୍ରାୟ ଦେଢ଼ଶହ ବର୍ଷ ତଳେ ଫିନ୍‌ଲାଣ୍ଡ୍‌ରେ ସେମାନଙ୍କର ଜାତୀୟ ଆନ୍ଦୋଳନ ଆରମ୍ଭ ହେଲା। ନିଜ ଭାଷାରେ ବହି ଲେଖାଗଲା। ସାହିତ୍ୟ ରଚନା ହେଲା। ଆମ ଭାରତବର୍ଷର ରାମାୟଣ ଏବଂ ମହାଭାରତ ପରି ପ୍ରାଚୀନ ଫିନ୍‌ଲାଣ୍ଡ୍ର ଗୋଟିଏ ମହାକାବ୍ୟ ମଧ୍ୟ କୋଉ କାଳରୁ ସମ୍ପୂର୍ଣ୍ଣ ଭାବରେ ପାସୋର ହୋଇ ଯାଇଥିଲା। ତାହାକୁ ପୁନର୍ବାର ଲୋକମୁଖରୁ ସଂଗ୍ରହ କରି ଫିନ୍‌ଲାଣ୍ଡ୍ର ଜଣେ ଡାକ୍ତର ତାହାର ମୁଦ୍ରଣ କରାଇଲେ ଏବଂ ପ୍ରସିଦ୍ଧ ହେଲେ। ଫିନ୍‌ଲାଣ୍ଡ୍ ଆଧୁନିକ ଜଗତରେ ପ୍ରବେଶ କଲା। ଲୋକମତ ଅନୁସାରେ ଶାସନ ଚାଲିଲା। ନୂତନ ଶିକ୍ଷାପଦ୍ଧତିର ପ୍ରଣୟନ କରାଗଲା।

 

ପଚାଶବର୍ଷ ତଳେ ଇଉରୋପରେ ଯେଉଁ ମହାଯୁଦ୍ଧ ହୋଇଥିଲା, ସେଥିରେ ମଧ୍ୟ ଫିନ୍‌ଲାଣ୍ଡ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ଖୁବ୍‌ସମ୍ଭବ ଜର୍ମାନୀକୁ ଛାଡ଼ିଦେଲେ ଇଉରୋପରେ ଏତେ କ୍ଷତି ଅନ୍ୟ କୌଣସି ଦେଶକୁ ସହିବାକୁ ପଡ଼ିନାହିଁ। ଜର୍ମାନୀ ତ ନିଜେ ଯୁଦ୍ଧ ଭିଆଇଥିଲା, ଯୁଦ୍ଧରେ ପରାଜିତ ହେଲା ଏବଂ କ୍ଷତି ସହିଲା। ମାତ୍ର ଯୁଦ୍ଧରେ ପଶିବାର କୌଣସି ଅଭିପ୍ରାୟ ନଥାଇ ମଧ୍ୟ ଫିନ୍‌ଲାଣ୍ଡ୍କୁ ତିନିଥର ସେଥିରେ ଲିପ୍ତ ହେବାକୁ ପଡ଼ିଥିଲା। ଏପଟୁ ଜର୍ମାନୀ ସହିତ ଓ ସେପଟୁ ରୁଷିଆ ସହିତ। ମହାଯୁଦ୍ଧ ପରେ ବିଜେତା ରୁଷିଆ ଦେଶ ଫିନ୍‌ଲାଣ୍ଡ୍ଠାରୁ କ୍ଷତିପୂରଣ ଦାବୀକଲା। ଫିନ୍‌ୟଳାଣ୍ଡ୍‌ର ଗୋଟିଏ ଅଂଶରେ ନିଜର ସେନାଛାଉଣି ଜମାଇ ରଖିଲା। ଯୁଦ୍ଧରେ ଫିନ୍‌ଲାଣ୍ଡ୍ର ପ୍ରାୟ ଅଧେ ପୁରୁଷଲୋକଙ୍କର ପ୍ରାଣହାନି ଘଟିଥିଲା। ଖାଦ୍ୟର ଅଭାବରୁ ବହୁଲୋକ ଯକ୍ଷ୍ମାରେ ଆକ୍ରାନ୍ତ ହୋଇଥିଲେ। ରୁଷିଆ ଅଧିକାର କରି ନେଇଥିବା ପୂର୍ବାଞ୍ଚଳରେ ଗୋଟିଏ ପ୍ରଦେଶରୁ ସବୁଲୋକ ଶରଣାର୍ଥୀ ହୋଇ ଫିନ୍‌ଲାଣ୍ଡ୍ ଭିତରକୁ ପଳାଇ ଆସିଥିଲେ। ତଥାପି ଫିନ୍‌ଲାଣ୍ଡ୍ ଭାଙ୍ଗି ପଡ଼ିଲାନାହିଁ। ସବୁଯାକ ସମସ୍ୟାର ମୁକାବିଲା କଲା। ନିଜେ ବହୁ ଦାରିଦ୍ର୍ୟ ଭିତରେ ରହି ରୁଷିଆକୁ ତା’ର ଯୁଦ୍ଧ ପାଉଣା ପଇଠ କଲା। ବହୁବର୍ଷ କାଳ ତା’ ତମ୍ବାଖଣିର ସବୁ ତମ୍ବା ରୁଷିଆକୁ ହିଁ ଦିଆଯାଉଥିଲା। ଏହିପରି ଦୃଢ଼ ସଂକଳ୍ପ ଉପରେ ହିଁ ଆଧୁନିକ ଫିନ୍‌ଲାଣ୍ଡ୍ର ନିର୍ମାଣ ହେଲା।

 

ଫିନ୍‌ଲାଣ୍ଡ୍ ର ସ୍ନାନଘର-ସାଉନା

ଖାଲି ଫିନ୍‌ଲାଣ୍ଡ୍ରେ କାହିଁକି, ସମସ୍ତେ ଉତ୍ତର ଇଉରୋପରେ ଶୀତଦିନରେ ନଦୀ, ନାଳ ଓ ସମୁଦ୍ରର ପାଣି ବରଫ ହୋଇ ବସିଯାଏ। ଉତ୍ତାପ ଏତେ ତଳକୁ ଖସିଯାଏ ଯେ, ବାହାରେ ପୋଖରୀ ବା ଗଡ଼ିଆ ତ ଦୂରର କଥା, ଘର ଭିତରେ ଥଣ୍ଡା ପାଣିରେ ଗାଧୋଇବା ମଧ୍ୟ ଆଉ ସମ୍ଭବ ହୁଏନାହିଁ। ଆଗ ପାଣି ଗରମ ହେଲେ ତା’ପରେ ଯାଇ ଗାଧୋଇବା ସମ୍ଭବ ହୁଏ। କିନ୍ତୁ ଗରମ ପାଣି କରିବାଲାଗି ଅନେକ ଅଧିକ ଖର୍ଚ୍ଚ କରିବାକୁ ହୁଏ ଏବଂ ସାଧାରଣତଃ ପ୍ରଚୁର ପରିମାଣରେ ନିଜର ଓ ନିଜ ପରିବାରର ଗାଧୋଇବା ସକାଶେ ପ୍ରତିଦିନ ଗରମ ପାଣି ସଜ କରି ପାରିବାଲାଗି ଅଧିକାଂଶ ମନୁଷ୍ୟ କୁଟୁମ୍ବର ସାମର୍ଥ୍ୟ ନଥାଏ। ତେଣୁ, ଇଉରୋପର ଅଧିକାଂଶ ଦେଶରେ ଅଧିକାଂଶ ମନୁଷ୍ୟ ସବୁଦିନେ ଭଲ କରି ଗାଧୋଇ ପାରନ୍ତିନାହିଁ। ଥଣ୍ଡା ଅଥବା ଗରମ ସୋଲାଏ ପାଣିରେ ମୁହଁ ହାତକୁ ଭଲ କରି ରଗଡ଼ି ସଫା କରିନେବା ଓ ମୁଣ୍ଡର ବାଳରେ ସହିଲା ଭଳି କିଞ୍ଚିତ୍ ପାଣି ଛିଞ୍ଚିଦେବା, ପାରମ୍ପରିକ ଇଉରୋପରେ ତାହାକୁ ହିଁ ପ୍ରାତ୍ୟହିକ ସ୍ନାନ ବୋଲି ସ୍ୱୀକାର କରିନେବାକୁ ପଡୁଥିଲା। ଶୀତ ଛଅମାସ କି ଆଠମାସ ଏହି ଅବସ୍ଥା ଥିଲା।

 

ଅଧିକାଂଶ ପରିବାରରେ ସପ୍ତାହରେ ଦିନେ, ଅର୍ଥାତ୍ ଶନିବାର ଦିନ ହୁଏତ ସମସ୍ତେ ଗାଧୋଇ ପାରୁଥିଲେ। ଗାଧୁଆଘରେ କାନ୍ଥରେ ଖଞ୍ଜା ହୋଇଥିବା ଏକ ନଳୁଆ ପାତ୍ରରେ ବିଦ୍ୟୁତ୍ ସାହାଯ୍ୟରେ ପାଣିକୁ ଗରମ କରାଯାଉଥିଲା ଏବଂ ସେତିକି ପାଣିକୁ ଯଥାସମ୍ଭବ ବାଣ୍ଟକରି ସେଥିରେ ଥଣ୍ଡାପାଣି ମିଶାଇ ଘରର ସମସ୍ତେ ଜଣକ ପରେ ଜଣେ ଗାଧୁଆଘରକୁ ଯାଇ ଗାଧୋଇ ପାରୁଥିଲେ। ଅବଶ୍ୟ ଏକ ଆର୍ଥିକ ଅବସ୍ଥା ବଦଳିବା ସଙ୍ଗେ ସଙ୍ଗେ ଜର୍ମାନୀ ପ୍ରଭୃତି ଅଧିକାଂଶ ଦେଶରେ ଗାଧୁଆଘରେ ଚବିଶିଘଣ୍ଟା ଗରମ ପାଣି ଆସିବାର ସୁଯୋଗ ମିଳିଲାଣି। ଇସ୍ରାଏଲ୍ ପ୍ରଭୃତି କେତେକ ଦେଶରେ ସୂର୍ଯ୍ୟର ଉତ୍ତାପରେ ମଧ୍ୟ ଘରର ଛାତ ଉପରେ ପାଣି ଗରମ କରି ରଖାଯାଇ ପାରିଲାଣି। ମାତ୍ର ମୋଟେ କୋଡ଼ିଏ ତିରିଶ ବର୍ଷ ପୂର୍ବେ ଅବସ୍ଥା ଆଦୌ ସେପରି ନଥିଲା। ସମସ୍ତେ ପ୍ରାୟ ମନ୍ତ୍ରସ୍ନାନକୁ ହିଁ ସ୍ନାନ ବୋଲି କହୁଥିଲେ। ଇଉରୋପରେ କେବଳ ଗୋଟିଏ ଦେଶକୁ ଛାଡ଼ି। ସେହି ଦେଶଟି ହେଉଛି ଫିନ୍‌ଲାଣ୍ଡ୍। ଫିନ୍‌ଲାଣ୍ଡ୍ର ଲୋକେ ହିଁ ଇଚ୍ଛାକଲେ ସବୁଦିନେ ସ୍ନାନ କରିପାରୁଥିଲେ ଓ ଦେହକୁ ସଫାସୁତରା ରଖି ପାରୁଥିଲେ। ତେଣୁ ଦେହରେ ପାଣି ନବାଜିଥିବା ହେତୁ ଦେହଟାଯାକ ନୁଖୁରା ଓ ଅଗାଧୁଆ ଗନ୍ଧାଇବାର ଦୁର୍ଦ୍ଦଶା ସେହି ଦେଶର ମନୁଷ୍ୟମାନଙ୍କୁ ଆଦୌ ଭୋଗିବାକୁ ପଡୁନଥିଲା। ଏଥିଲାଗି ପୁନର୍ବାର ଫିନ୍‌ଲାଣ୍ଡ୍ ଦେଶରେ ସୁବିସ୍ତୃତ ହୋଇ ରହିଥିବା ଜଙ୍ଗଲକୁ ହିଁ ଧନ୍ୟବାଦ ଦେବାକୁ ପଡ଼ିବ।

 

ଫିନ୍‌ଲାଣ୍ଡ୍ ଏହି ସ୍ୱତନ୍ତ୍ର କିସମର ସ୍ନାନ ପ୍ରଣାଳୀଟିର ନାମ ହେଉଛି ସାଉନା। କେଉଁ ଆଦିମ କାଳରୁ ସେହି ଦେଶରେ ସାଉନା ରହିଆସିଛି। ଫିନ୍‌ଲାଣ୍ଡ୍ର ପ୍ରତ୍ୟେକ ପରିବାରରେ, ବିଶେଷତଃ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରେ ସାଉନା ପ୍ରକୃତରେ ଏକ ଅନୁଷ୍ଠାନରେ ପରିଣତ ହୋଇ ରହିଛି। ପୁରାତନ ସମାଜରେ ଥିଲା ଏବର ଆଧୁନିକ ପରିବାରମାନଙ୍କରେ ମଧ୍ୟ ରହିଛି। ଗରମ ବାମ୍ଫରେ ଗାଧୋଇବାର ଦୀର୍ଘ ପ୍ରଚଳିତ ଏହି ପଦ୍ଧତିଟି ଫିନ୍‌ଲାଣ୍ଡ୍ର ନିତ୍ୟଜୀବନରେ ଏକ ଅତ୍ୟାବଶ୍ୟକ ଓ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇ ରହିଆସିଛି। ଘର କରିବା ପୂର୍ବରୁ, ଘର କରୁଥିବା ଜାଗାରେ ଆଗ କୂଅଟିଏ ଖୋଳିବାର ପରମ୍ପରା ଯେମିତି ଆମ ଦେଶରେ କେଉଁ ପୁରାତନ କାଳରୁ ରହିଆସିଛି, ଠିକ୍ ସେହିପରି ନିଜର ନୂତନ ଘରଟିଏ ତିଆରି କରିବାକୁ ମନସ୍ଥ କଲେ ଫିନ୍‌ଲାଣ୍ଡ୍ର ଚାଷୀ ସର୍ବପ୍ରଥମେ ସାଉନାଟିଏ ତିଆରି କରେ।

 

ସାଉନାଘର ସାଧାରଣତଃ ପାଣିକୂଳରେ ତିଆରି ହୋଇଥାଏ। ଅର୍ଥାତ୍ ହ୍ରଦକୂଳରେ। ଗୋଟାସୁଦ୍ଧା କାଠରେ ତିଆରି ସାନ ଘରଟିଏ, ସାଧାରଣତଃ ଦେଢ଼ବଖରାର ସାନ ସଂସାରଟିଏ। ଘର ଭିତରେ ଚୂଲୀଟିଏ।। ପାଣି ରଖିବା ସକାଶେ କାଠରେ ତିଆରି ବଡ଼ ବଡ଼ ଦୁଇଟି ପାତ୍ର। ସେଥିରେ ହ୍ରଦରୁ ପାଣି ଜମାକରି ରଖା ଯାଇଥାଏ। ସାଉନାର ଚୂଲୀରେ କୁହୁଳା ପକାଇ ପ୍ରାୟ ସକାଳ ପହରୁ କାଠ ଧରାଇ ଦିଆଯାଏ ଏବଂ ଚୂଲୀ ଉପରେ ଗୋଟାଏ ବୃହତ୍ ଟିଣପାତ୍ରରେ ବଡ଼ ବଡ଼ ପଥର ବା ବାଲିଗରଡ଼ା ରହିଥାଏ, ଯେଉଁଗୁଡ଼ିକ କି ଚୂଲୀ ଭିତରେ ନିଆଁ ଜଳିବା ଫଳରେ କ୍ରମେ ଗରମ ହେବାକୁ ଆରମ୍ଭ କରନ୍ତି। ଦିନଯାକ ନିଆଁ ଜଳୁଥାଏ ଓ ଗୋଡ଼ିଗୁଡ଼ିକ ଦିନଯାକ ତାତି ଗରମ ହେବାରେ ଲାଗିଥାନ୍ତି। ନିଆଁ ଠିକ୍ ଭାବରେ ଜଳୁଛି କି ନାହିଁ, ପରିବାରର ଜଣେ କେହି ଆସି ମଝିରେ ମଝିରେ ସେକଥା ଦେଖି ଯାଉଥାନ୍ତି। ଚୂଲୀରେ କାଠ ସରି ଆସୁଥିଲେ ନୂଆ କାଠ ପକାଇ ଦେଇ ଯାଉଥାନ୍ତି। ଛାଇ ଲେଉଟେ, ସଞ୍ଜ ବୁଡ଼େ। ଘର ଯାକର ମଣିଷ କାମରୁ ଫେରନ୍ତି ଓ ସାଉନା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତି। ସାଉନା ଭିତରେ କାଠର ଗ୍ୟାଲେରି ତିଆରି ହୋଇଥାଏ। ସେହି ଗ୍ୟାଲେରି ଉପରେ ଧାଡ଼ି ହୋଇ ବସି ସାଉନା ସ୍ନାନ କରାଯାଏ।

 

ସାଉନା ସ୍ନାନ ନିମନ୍ତେ ଆଉ ଗୋଟିଏ ଅପରିହାର୍ଯ୍ୟ ପଦାର୍ଥ ହେଉଛି କଞ୍ଚାପତରରେ ତିଆରି ହୋଇ ରହିଥିବା ଝାଡୁଟିଏ। ସେହି ଝାଡୁ ପୁଣି ଅନ୍ୟ କୌଣସି ପତରରେ ତିଆରି ହୋଇ ନଥିବ, କେବଳ ପତରରେ। ଘରର ମାଆ ଳବା ତାଙ୍କର ବରାଦ ଅନୁସାରେ ଆଉ କେହି ଜଙ୍ଗଲରୁ ଭୂର୍ଜଗଛର ଅଗଡ଼ାଳ ଗୁଡ଼ିକୁ ଭାଙ୍ଗି ଝାଡୁଟିଏ ତିଆରି କରି ସାଉନାଘରେ ରଖି ଦେଇଥାନ୍ତି। ପ୍ରତିଥରର ସ୍ନାନ ସକାଶେ ନୂଆ ଝାଡୁ ତିଆରି କରିବାକୁ ପଡ଼େ। ସଜନା ଗଛରୁ ସଜନା ଶାଗ ଭାଙ୍ଗି ହାତରେ ବେକାଏ କରି ଧରିଥିଲେ ଆମ ଦେଶରେ ସାଧାରଣତଃ ଯେପରି ଦେଖାଯାଏ, ସାଉନା ଲାଗି ତିଆରି ହୋଇଥିବା କଅଁଳ ଭୂର୍ଜପତ୍ରର ଝାଡୁଟି ଅଳ୍ପ ବହୁତ ସେହିଭଳି ଦେଖାଯାଏ। ଅନେକ ପରିବାର ଅଛନ୍ତି, ଯେଉଁମାନେ ବ୍ୟବହାର କରିସାରିବାପରେ ମଧ୍ୟ ଝାଡୁଗୁଡ଼ିକୁ ଫିଙ୍ଗି ନ ଦେଇ ସାଉନା ବାହାରେ ଗୋଟିଏ ଦଉଡ଼ିରେ ମାଳ କରି ଟାଙ୍ଗି ରଖିଥାଆନ୍ତି। ଦଉଡ଼ିଟି ପୂରିଗଲେ ସେଗୁଡ଼ିକୁ ଅବଶ୍ୟ ଫିଙ୍ଗି ଦିଆଯାଇଥାଏ।

 

ଆମେ ସାଉନା ଘରକୁ ପରିବାରର ପ୍ରାୟ ସମସ୍ତେ ଏକତ୍ର ସ୍ନାନ କରିବାକୁ ଆସୁଥିଲେ। କିଏ ଆଗ ଆସିବ ଓ କିଏ ପଛେ ଆସିବ, ତାହା କାହାର ହୁଏତ କୌଣସି କାର୍ଯ୍ୟ ବାକି ଅଛି ଓ ତେଣୁ ସେ ଦ୍ୱିତୀୟ ମୁଥରେ ଆସିବ, ପ୍ରଧାନତଃ ତାହାରି ଉପରେ ନିର୍ଭର କରୁଥିଲା। ମିତବ୍ୟୟିତା ଉପରେ ମଧ୍ୟ ହୁଏତ ଦୃଷ୍ଟି ରହିଥିଲା। ଘରଯାକର ସମସ୍ତେ ଆସି ଏକାଠି କାର୍ଯ୍ୟଟିକୁ ସାରିଦେଲେ ଅଳ୍ପ ରଡରେ ସମସ୍ତଙ୍କର ଗାଧୁଆ ହୋଇଯିବ। ମାତ୍ର ମୁଥ ମୁଥ କରି ଆସିଲେ ଅଧିକ ସମୟ ରଡ଼ ରହିବା ଦରକାର ହେବ ଓ ତେଣୁ ଅଧିକ କାଠ ଖରଚ ହେବ। ଏତେ ସମସ୍ତେ ଏକାଠି ଆସିବାର ପଦ୍ଧତିଟି ଆଉ ସେତେ ନଚଳିଲା ପରି ମନେ ହେଉଛି। ଅନ୍ତତଃ ସହରବାସୀମାନେ ଏକାଠି ସାଉନା ଯିବାକୁ ମୋଟେ ପସନ୍ଦ କରୁନାହାନ୍ତି। ଆଗ ହୁଏତ ପିଲାମାନେ ଯାଉଛନ୍ତି। ତା’ପରେ ପୁରୁଷ ବୟସ୍କମାନେ ଓ ସବାଶେଷକୁ ବୟସ୍କା ମହିଳାମାନେ। ସ୍ୱାମୀ ସ୍ତ୍ରୀ ଏକାଠି ଯିବାର ପରମ୍ପରାଟି ଏବେ ମଧ୍ୟ ଚଳୁଛି। ମାତ୍ର ନିଜ ପିଲାମାନେ ସାଧାରଣତଃ ସାଙ୍ଗରେ ଯାଉନାହାନ୍ତି। ଆଗେ, ଅର୍ଥାତ୍ ମାତ୍ର ତିରିଶି ଚାଳିଶି ବର୍ଷ ପୂର୍ବେ ଏସବୁ ପରିବର୍ତ୍ତନ ଆରମ୍ଭ ହୋଇନଥିଲା। ସେତେବେଳେ କେବଳ ସମଗ୍ର ପରିବାର ନୁହେଁ, ଘରକୁ ସମ୍ପର୍କୀୟ କୁଣିଆ ଆସିଥିଲେ ସେମାନଙ୍କୁ ମଧ୍ୟ ଏହି ମିଳିତ ସ୍ନାନ ପରମ୍ପରାଟିରେ ଅବଶ୍ୟ ଯୋଗ ଦେବାକୁ ପଡୁଥିଲା।

 

ସକାଳୁ ଚୂଲୀରେ କାଠ ପଡୁଥିବ ଓ ଜଳୁଥିବ ଏବଂ ଉପରେ ଟିଣ ଭିତରେ ପଥରଖଣ୍ଡ ଗୁଡ଼ିକ ତାତି ରଡ଼ନିଆଁ ପରି ଗରମ ହୋଇ ରହିଥିବ। କାଠ ତିଆରି ଗାଙ୍ଗୁଲାରେ ଗାଙ୍ଗୁଲେ କରି ପାଣି ଭର୍ତ୍ତି ହୋଇ ରହିଥିବ। ହାତ ପାଆନ୍ତାରେ ଡଙ୍କି ବା କରଚୂଲୀଟଏ ଥିବ। ଏବଂ ସର୍ବୋପରି ତାଜା ଝାଡୁଟିଏ ମଧ୍ୟ ଯାଆସ୍ଥାନରେ ଆସି ଥୁଆ ହୋଇଥିବା ସ୍ନାନାର୍ଥୀମାନେ ଆସି ପ୍ରଥମେ ସାଉନାକୁ ଲାଗିକରି ରହିଥିବା ଅଧବଖୁରିଟିରେ ଦେହରୁ ସବୁଯାକ ଲୁଗପଟା କାଢ଼ିବେ ଏବଂ ସାଉନାଘର ଭିତରେ ପ୍ରବେଶ କରିବେ। ସେମାନେ ସମସ୍ତେ ଯାଇ କାଠର ଗ୍ୟାଲେରି ଉପରେ ଧାଡ଼ି ହୋଇ ବସିଯିବେ। ଉପର ଥାକରେ ବସିବେ ଏବଂ ତଳଥାକକୁ ଗୋଡ଼ ଲମ୍ବାଇଦେବେ। ସାଉନାରେ ସାଧାରଣତଃ ତିନିଚାରିଥାକରେ ଗ୍ୟାଲେରି ରହିଥିବ, ତେଣୁ ଏକାବେଳକୁ ବହୁ ମଣିଷଙ୍କ ପାଇଁ ସ୍ଥାନ ଅବଶ୍ୟ ହୋଇପାରିବ। ତା’ପରେ ଡଙ୍କାଏ ପରେ ଡଙ୍କାଏ ପାଣି ରଡ଼ ପଥର ଉପରେ ଢଳାଯିବ। ପଥରଗୁଡାକ ସେଁ ସେଁ କରି ଉଠିବେ ଏବଂ କେତେ ସେକେଣ୍ଡ ମଧ୍ୟରେ ଘରଟାଯାକ ଗରମ ବାମ୍ଫରେ ପୂର୍ଣ୍ଣ ହୋଇଯିବ। ପାଣି ଯେତିକି ଢଳା ହେଉଥିବ, ବାମ୍ଫ ସେତିକି ଅସହ୍ୟ ଭାବରେ ଗରମ ହେଉଥିବ। କବାଟ ଝରକା ସବୁ ନିବୁଜ ହୋଇ ବନ୍ଦ ରହିଥିବା ବାହାରର ପବନ ଭିତରକୁ ଆସିବାର ଅଥବା ଭିତରର ବାମ୍ଫ ବାହାରକୁ ଯିବାର ଆଉ କୌଣସି ବାଟନଥିବ। ଗରମ ବାମ୍ଫ ଲଙ୍ଗଳା ଦେହଗୁଡ଼ିକରେ ଆସି ସିଧା ବାଜିବାକୁ ଆରମ୍ଭ କରିବାକୁ ଏବଂ ଦେହମାନଙ୍କରୁ ପ୍ରାୟ ଅଧମିନିଟ୍ ପରେ ଗମଗମ ଝାଳ ବୋହିବାକୁ ଲାଗିବ। ଦେହ ସହି ପାରୁଥିବା ପର୍ଯ୍ୟନ୍ତ ଡଙ୍କା ସାହାଯ୍ୟରେ ରଡ଼ ପଥର ଉପରେ ପାଣି ଢଳା ଯାଉଥିବ ଏବଂ ଅଧିକ ଗରମ ବାମ୍ଫର ସୃଷ୍ଟି କରାଯାଉଥିବ। ଦେହରୁ ତୁହାକୁ ତୁହା ଝାଳ ବୋହି ଯାଉଥିବ।

 

ଯେତେବେଳେ ଗରମ ବାମ୍ଫ ଦେହକୁ ଅସହ୍ୟ ହେବାକୁ ଲାଗିବ, ସେତେବେଳେ ତୁମେ କ’ଣ କରିବ ? ସବୁ ଦେହର ସହିବା ଶକ୍ତି କଦାପି ସମାନ ନୁହେଁ। ତେଣୁ କାହାର ଆଗ ଅସହ୍ୟ ଲାଗିବ ଓ କାହାକୁ ହୁଏତ ପଛରେ। ମାତ୍ର, ଅସହ୍ୟ ଲାଗିବା ମାତ୍ରକେ ଲଙ୍ଗଳା ମଣିଷଟି ଧଡ଼ କରି ଘର ଭିତରୁ ବାହାରିଯିବ ଓ କେତେମିଟର ଦୂରରେ ଅବସ୍ଥିତ ହ୍ରଦର ପାଣି ଭିତରକୁ ଡେଇଁ ପଡ଼ିବ। ସେଠାରେ ଦେହର ଗରମ ଭାଙ୍ଗିବା ଯାଏ ପହଁରିବ। ପାଣିର ଉତ୍ତାପ ଆଦୌ ବେଶୀ ନଥିବ, ତେଣୁ ଅଳ୍ପ ସମୟ ପହଁରିବା ପରେ ଦେହ ଶୀତରେ କମ୍ପିଉଠିବାକୁ ଆରମ୍ଭ କରିବ। ତା’ପରେ ପୁଣି ସାଉନା ଘରର ଗରମ ବାମ୍ଫ ଭିତରକୁ ପ୍ରତ୍ୟାବର୍ତ୍ତନ। ପୁନର୍ବାର ବାମ୍ଫ ଅସହ୍ୟ ଲାଗିବା ପର୍ଯ୍ୟନ୍ତ ସେଠାରେ ବସିବାକୁ ହେବ ଏବଂ ଅଧିକ ଝାଳ ବୋହି ଗରମଟା ଅସହ୍ୟ ଲାଗିବା ପର୍ଯ୍ୟନ୍ତ ସେଠାରେ ବସିବାକୁ ହେବ ଏବଂ ଅଧିକ ଝାଳ ବୋହି ଗରମଟା ଅସହ୍ୟ ମାଲୁମ ହେବା ମାତ୍ରକେ ତୁମେ ପୁଣି ଯାଇ ହ୍ରଦରେ ସନ୍ତରଣ କରିପାରିବ। ଏହିପରି ପନ୍ଦର କୋଡ଼ିଏ ମିନିଟ ଭିତରେ ସାଉନାରୁ ହ୍ରଦକୁ ଓ ହ୍ରଦରୁ ସାଉନାକୁ ହୋଇସାରିବା ପରେ ତୁମେ ସାଉନାରୁ ଅନ୍ତତଃ ସେଦିନ ପାଇଁ ଶେଷଥର ଲାଗି ବାହାରି ଟିକିଏ ଅଧିକ ସମୟ ହ୍ରଦରେ ପହଁରିବ, ଦେହ ଶୀତ ହେବା ପର୍ଯ୍ୟନ୍ତ ଘଷିଘାଷି ହୋଇ ଗାଧୋଇବ ଏବଂ ପୋଛିପାଛି ହୋଇ ଘରକୁ ଯିବ। ଏମିତି ଜଣେ ଜଣେ ସ୍ନାନ ସାରିବେ ଓ ପ୍ରଥମ ମୁଥ ସରିବା ପରେ ଦ୍ୱିତୀୟ ମୁଥର ବ୍ୟକ୍ତିମାନେ ସାଉନାଘରକୁ ଆସିବେ।

 

ମାତ୍ର ଯଦି ଶୀତଦିନ ହୋଇଥାଏ, ତେବେ ହ୍ରଦର ପାଣି ଓ ପଥର ହୋଇ ବସି ଯାଇଥିବ ଓ ତା’ପରେ ହୁଏତ ଆଣ୍ଡୁଏ ବରଫ ଜମା ହୋଇଥିବ। ସେତେବେଳେ ତୁମେ ନିଜର ଗରମ ଦେହକୁ ସେହି ବରଫ ଉପରେ ଗଡାଇପାରିବ। ମାତ୍ର କେତେ ସେକେଣ୍ଡ ଗଡ଼ିବା ପରେ ଦେହ ଏପରି କାଲୁଆ ହୋଇଯିବ ଯେ ତୁମକୁ ପୁନର୍ବାର ସାଇନାର ବାମ୍ଫ ଭିତରକୁ ପ୍ରତ୍ୟାବର୍ତ୍ତନ କରିବାକୁ ପଡ଼ିବ। ଏଥିରେ ବି ଏକ ସ୍ୱତନ୍ତ୍ର ଆନନ୍ଦ ମିଳେ। ପହଁରିବାର ଆନନ୍ଦଠାରୁ ଏହା ଆଦୌ କୌଣସି ଗୁଣରେ କମ୍ ନୁହେଁ। ଏବଂ, ଶୀତଦିନେ ତୁମକୁ ହୁଏତ ଶୀତଳ ଲୋଡି ହ୍ରଦ ପର୍ଯ୍ୟନ୍ତ ଯିବାକୁ ହିଁ ପଡ଼ିବନାହିଁ। ସାଉନାଘର ଦୁଆର ମୁହଁରୁ ଓ ଜଂଘେ ଉଚ୍ଚର ବରଫ ଜମା ହୋଇ ରହିଥିବ। ପଥୁରିଆ ଭୂମି ଓ ତା’ ଉପରେ କଣ୍ଟାଝଣ୍ଟାମାନେ କେତେ ତଳେ ଯାଇ ପୋତିହୋଇ ରହିଥିବେ। ତୁମେ ତାହାରି ଉପରେ ହିଁ ଗଡ଼ିଯାଇପାରିବ। ଏଡେ ଯତ୍ନରେ ଭୂର୍ଜପତରରୁ ତିଆରି ହୋଇଥିବା ମୁଠିଝାଡୁଟି ପୁଣି କେତେବେଳେ କାମରେ ଲାଗିବ? ସମସ୍ତେ ସାଉନା ଭିତରେ ବସି ଦେହକୁ ବାମ୍ଫ ନେଉଥିବା ବେଳେ ଯାହାର ଯେତେବେଳେ ଇଚ୍ଛା ହେବ, ସିଏ ଆଗ ଝାଡୁଟିକୁ ପାଣିରେ ବୁଡାଇବ ଓ ସେଇଟି ସାହାଯ୍ୟରେ ଦେହର ଯାବତୀୟ ସ୍ଥାନକୁ ପିଟିବାକୁ ଆରମ୍ଭ କରିବ। ବାମ୍ଫରେ ସିଝି ତାତିରେ ପାଚିକରି ରହିଥିବା ପତରଗୁଡ଼ିକ ଦେହ ଉପରେ ନିଆଁ ବାଜିଲାପରି ଆସି ବାଜି ଯାଉଥିବେ। ଫିନ୍‌ଲାଣ୍ଡ୍ରେ ଶୀତପ୍ରଧାନ ଜଳବାୟୁରେ ଏହା ଅତ୍ୟନ୍ତ ଆବଶ୍ୟକ ବୋଲି କେଉଁ ଯୁଗରୁ ଏପରି ପ୍ରଚଳନଟିଏ ରହି ଆସିଛି। ସମସ୍ତେ କହନ୍ତି, ବେଶୀ ଶୀତ ହେଉଥିବା ଦେଶ ମାନଙ୍କରେ ମନୁଷ୍ୟ-ଦେହର ରକ୍ତସଂଚାଳନ ମଧ୍ୟ ଟିକିଏ ଶିଥିଳ ହୋଇଯାଏ। ସାଉନାର ଗରମ ଭିତରେ ଦେହକୁ ଏହିପରି ଭାବରେ ଝାଡୁରେ ବାଡ଼େଇହେଲେ ସେହି ରକ୍ତ ସଂଚାଳନ ତ୍ଵରାନ୍ୱିତ ହୁଏ। ତେଣୁ ଭାରି ଯତ୍ନ ସହକାରେ ଦେହର ଯଥାସମ୍ଭବ ସବୁ ସ୍ଥାନକୁ ଏହି ଝାଡୁ ଦେଇ ମୃଦୁ ଭାବରେ ପିଟିବାକୁ ହେବ। ସାଧାରଣତଃ ପିଲାମାନେ ଧୈର୍ଯ୍ୟର ସହିତ ଏସବୁ କରି ପାରନ୍ତି ନାହିଁ। ତେଣୁ ଘରର ମାଆ, ପିଲାମାନଙ୍କ ଦେହ ଉପରେ ଝାଡୁ ଦ୍ୱାରା ବାଡ଼େଇବାର କାର୍ଯ୍ୟଟିକୁ କରନ୍ତି। ବୁଢ଼ୀମାଆଟି ମଧ୍ୟ ଆପଣାର ପ୍ରୌଢ଼ ବୟସର ପୁଅଟି ଦେହରେ ପୁଅକୁ ଛୁଆ କାମରେ ଝାଡୁଟିକୁ ନେଇ ପିଟି ଆଣିବାରେ ଆଗେ ସତେଅବା କେତେ ଆନନ୍ଦ ଅନୁଭବ କରୁଥିଲା। ଏବେ ସେସବୁ ଚଳଣି ଆଉ ପ୍ରାୟ ଦେଖିବାକୁ ମିଳୁନାହିଁ।

 

ସାଉନାର ବାମ୍ଫ ଭିତରେ ବସି ଦେହ ଅସହ୍ୟ ଭାବରେ ଗରମ ହୋଇଆସିବା ପରେ ବାହାରକୁ ଯାଇ ଥଣ୍ଡା ପାଣିରେ ପହଁରିବା ଏବଂ ବରଫ ଉପରେ ଗଡ଼ିବା ଦ୍ୱାରା ବାତ ପ୍ରଭୃତି କେତେକ ରୋଗ ଭଲ ହୋଇଯାଏ ବୋଲି ଫିନ୍‌ଲାଣ୍ଡ୍ରେ ବହୁକାଳରୁ ବିଶ୍ୱାସ ରହିଆସିଛି। ଏବଂ, ପ୍ରକୃତରେ ଉପକାର ମିଳୁନଥିଲେ ଲୋକମାନେ ଏହି କଥାଟି ଉପରେ କାହିଁକି କୌଣସି ବିଶ୍ୱାସ ରଖି ଆସିଥାଆନ୍ତେ ? ତେଣୁ, ସାଉନା ଭିତରେ କିଏ କେତେ ଅଧବକ ସମୟ ବସିପାରିବ ଓ କେତେ ଅଧିକ ଗରମ ସହିପାରିବ, ସେଥିପାଇଁ ଏବେ ମଧ୍ୟ ପୁରୁଷମାନଙ୍କ ମଧ୍ୟରେ ବେଶ୍ ପ୍ରତିଯୋଗିତା ଲାଗିଯାଏ, ଅନେକ ସମୟରେ ସ୍ତ୍ରୀ ଲୋକମାନେ ମଧ୍ୟ ନିଜ ଭିତରେ ଏହିଭଳି ପ୍ରତିଯୋଗିତା କରିଥାନ୍ତି। ଫିନ୍‌ଲାଣ୍ଡ୍ର ଭାଷାରେ ଏପରି ଗୋଟିଏ ପ୍ରବଚନ ରହିଛି, ଯାହାର ଅର୍ଥ ହେଉଛି, ଯେତେବେଳେ ତୁମେ ଏତେ ଅଧିକ ଗରମ ଲାଗିବାଯାଏ ସାଉନାରେ ଯାଇ ବସିପାରିବ, ଯେପରିକି ପୂରା ଦେହରୁ ଛାଲ ଉତୁରି ଆସୁଥିବା ପରି ମନେ ହେବ, ସେତେବେଳେ ଯାଇ ତୁମେ ପ୍ରକୃତରେ ସାଉନାକୁ ଯାଇ ଗାଧୋଇଲ ବୋଲି କୁହାଯାଇପାରିବ।

 

ଏବେ ସାଉନାକୁ ଲାଗିକରି କେତେ ଲୋକ ଆଉ ଗୋଟିଏ ଘର ତିଆରି କଲେଣି। ସାଉନା ସାରି ତୁମେ ପୋଛିପୋଛି ହୋଇ ଶୁଖିଲା ତଉଲିଆ କିମ୍ବା ପାଇଜାମା ପିନ୍ଧି ସେହିଘରେ ସ୍ନାନ ସାରିଥିବା ସମସ୍ତଙ୍କ ସହିତ ଯାଇ ଘଡ଼ିଏ ଏକାଠି ବସିପାରିବ, ଖୁସୀଗପ କରିପାରିବ ଏବଂ ବାମ୍ଫ ଭିତରେ ଏତେ ସମୟ ବସିଥିବାର କ୍ଲାନ୍ତିକୁ ମଧ୍ୟ ମେଣ୍ଟାଇପାରିବ। ସେତେବେଳେ ବଡ଼ମାନେ ଗୃହପ୍ରସ୍ତୁତ ଏପରି ଏକ ଶୀତଳ ପାନୀୟ ମଧ୍ୟ ପିଅନ୍ତି, ଯାହାକୁ ଫିନ୍‌ଲାଣ୍ଡ୍ର ଭାଷାରେ କାଲିଆ ବୋଲି କୁହାଯାଏ। ଏହାକୁ ପିଇଲେ ଦେହ ଶୀତଳ ହୋଇଯିବା ସହିତ କିଞ୍ଚିତ୍ ନିଶା ଲାଗିଲା ପରି ମନେହୁଏ ବୋଲି ତାହା ପିଲାମାନଙ୍କୁ ଦିଆଯାଏନାହିଁ। ଆଗକାଳରେ ସାଉନା ଘରଟି ହିଁ ସମୁଦାୟ ନିବାସଟିର ଏକାମତ୍ର ପରିଷ୍କାର ଘର ଥିଲା। ତେଣୁ, ଛୁଆ ଜନ୍ମହେଲା ବେଳକୁ ସାଉନାକୁ ହିଁ ଅନ୍ତୁଡିଶାଳ ରୂପେ ବ୍ୟବହାର କରାଯାଉଥିଲା। ସାଉନା ଧୂଆଁରେ ମାଛ ଓ ମାଂସକୁ ମଧ୍ୟ ତାପ ଦେଇ ସିଝା ଯାଉଥିଲା। ଯେଉଁ ସବୁ ଶସ୍ୟଦାନାରୁ ମଦ ତିଆରି ହେବା କଥା, ତାହାକୁ ଆଗ ବସ୍ତାରେ ପୁରାଇ ହ୍ରଦପାଣିରେ ବୁଡାଇ ରଖାଯାଉଥିଲା। ଦାନାଗୁଡ଼ିକ କିଛି ପରିମାଣରେ ଫୁଲି ଆସିଲେ ବସ୍ତାଗୁଡ଼ିକୁ ଆଣି ସାଉନାଘରେ ରଖି ଦିଆଯାଉଥିଲା। ତାପରେ ସେଥିରୁ ମଦ ତିଆରି କରାଗଲେ ତାହା କୁଆଡ଼େ, ଅଧିକ ସ୍ୱାଦୁଯୁକ୍ତ ଦେଉଥିଲା। ନିଜ ପିନ୍ଧିବା ଲୁଗାରେ ଉକୁଣି ହେଲେ ମଧ୍ୟ ଲୋକେ ଲୁଗାଗୁଡ଼ିକୁ ନେଇ ସାଉନା ନିଆଁରେ ଦେଖାଉଥିଲେ ଓ ତାହାଦ୍ୱାରା ଉକୁଣିମାନେ ମରି ଯାଉଥିଲେ। ଲୁଗାରେ ତ ଏବେ ମଧ୍ୟ ଉକୁଣି ଲାଗୁଥିବେ, ତେଣୁ ସେଗୁଡ଼ିକୁ ମଧ୍ୟ ସାଉନାକୁ ଆଣି ନିଆଁରେ ଦେଖାଇ ମାରିଦିଆ ଯାଉଥିବ।

 

ଜୀବନ ଆଧୁନିକ ହେବା ସଙ୍ଗେ ସଙ୍ଗେ ସାଉନାରେ ପରମ୍ପରାରେ ମଧ୍ୟ ପରିବର୍ତ୍ତନ ହେଲାଣି। ଗାଆଁରେ ମଧ୍ୟ ଚାଷୀମାନେ ସାଧାରଣ ସ୍ନାନଘରମାନ ତିଆରି କଲେଣି। ଆଉ କାଠ ଜାଳି ପଥରକୁ ଗରମ କରିବାକୁ ପଡୁନାହିଁ। ତାହା ଏବେ ବିଦ୍ୟୁତ୍ ଶକ୍ତି ସାହାଯ୍ୟରେ ହୋଇପାରୁଛି। ରାଜଧାନୀ ହେଲସିଙ୍କି ସହରରେ ପାରିବାରିକ ସାଉନା ବ୍ୟତୀତ ସର୍ବସାଧାରଣ ସାଉନାମାନ ମଧ୍ୟ ରହିଛି, ତୁମେ ଟିକେଟ୍ କରି ସେଗୁଡ଼ିକୁ ଯାଇପାରିବ, ସମସ୍ତଙ୍କ ସହିତ ଯାଇ ଭିତରେ ବସିବ। ମାତ୍ର, କେବଳ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ତୁମେ ସେଠାରେ ବସିବାର ଅନୁମତି ପାଇପାରିବ। ଏହାଦ୍ୱାରା ସାଉନା ନାମକ ପରମ୍ପରାର ଯଥାର୍ଥ ଉପଭୋଗ ସମ୍ଭବ ହେଉନାହିଁ ବୋଲି ଏସବୁକୁ ବନ୍ଦ କରିଦେବା ଲାଗି ଲୋକମାନଙ୍କ ପକ୍ଷରୁ ପ୍ରତିବାଦ ମଧ୍ୟ ହେଲାଣି। ସହରରେ ତ ଝାଡୁ ପାଇବା ସହଜ ହେବନାହିଁ, ତେଣୁ ଦୋକାନମାନଙ୍କରେ ଝାଡୁ ବିକ୍ରି ମଧ୍ୟ ହେଲାଣି। ଜଳବାୟୁ ଦୃଷ୍ଟିରୁ ଶୀତଦିନ ପାଇଁ ଖରାଦିନରୁ ଝାଡ଼ୁଗୁଡ଼ିକୁ ତିଆରି କରି ସାଇତି ରଖାଯାଏ ଏବଂ ସାଧାରଣତଃ ଘରର ପିଲାମାନେ ହିଁ ତାହାକୁ ତିଆରି କରିଥାନ୍ତି। ଏବେ ଅନ୍ୟ ଦେଶମାନଙ୍କରେ ମଧ୍ୟ ସାଉନାର ପ୍ରଚଳନ ହେଲାଣି। ଫିନ୍‌ଲାଣ୍ଡ୍ରୁ ସାଉନା ଘରମାନ ପ୍ରସ୍ତୁତ ହେଉଛି ଏବଂ ରପ୍ତାନୀ ହୋଇ ଆମେରିକାକୁ ମଧ୍ୟ ଯାଉଛି।

 

ସୁନ୍ଦର ଦେଶ, ସୁନ୍ଦର ସମାଜ

ଫିନ୍‌ଲାଣ୍ଡ୍ ଦେଶର ପତାକାରେ ଦୁଇଟି ରଙ୍ଗ, ନୀଳ ଓ ଧବଳ। ନୀଳ ନୀଳ ଆକାଶର ପ୍ରତୀକ ଓ ଧଳା ରଙ୍ଗ ହ୍ରଦଗୁଡ଼ିକର ପ୍ରତୀକ। ଧଳା ଉପରେ ନୀଳରଙ୍ଗର ଛକି ପଡ଼ି ପତାକାଟିର କଳ୍ପନା ଓ ସର୍ଜନା କରାଯାଇଛି। ସାନଦେଶଟିରେ ସେମିତି ଆଖିଦୃଶିଆ ବଡ଼ ପାହାଡ଼ ନାହିଁ, ବଡ଼ ହ୍ରଦ ନାହିଁ। ସେଠି ଜୀବନଟିଏ ସମ୍ଭବ କରିବାକୁ ପ୍ରକୃତି ସହିତ ବର୍ଷକ ବାରମାସ ସଂଗ୍ରାମ କରିବାକୁ ପଡ଼େ। ଫିନ୍‌ଲାଣ୍ଡ୍ର ଭାଷା ପୁଣି ଏମିତି ଯେ ପୃଥିବୀର ପ୍ରାୟ କୌଣସି ଭାଷା ସହିତ ତାହାର କୌଣସି ସମ୍ପର୍କ ନାହିଁ। ଭାଷାର ଗଠନ ଅଲଗା, ଶବ୍ଦଗୁଡ଼ିକର ଉଚ୍ଚାରଣ ଅଲଗା, ବାକ୍ୟଗୁଡ଼ିକର ବ୍ୟାକରଣ ମଧ୍ୟ ଅଲଗା। ଫିନ୍‌ଲାଣ୍ଡ୍ର ଲୋକମାନେ ପ୍ରକୃତରେ କୁଆଡୁ ଆସି ସେହି ଦେଶରେ କେତେଦିନ ହେଲା ବସବାସ କରି ରହିଛନ୍ତି, ଇତିହାସକୁ ସଜାଡ଼ି କହୁଥିବା ପଣ୍ଡିତମାନେ ଏବେ ମଧ୍ୟ ସେହି ବିଷୟରେ ଦୃଢ଼ ଭାବରେ କିଛି କହି ପାରୁନାହାନ୍ତି। ଅବଶ୍ୟ ସମସ୍ତେ ଏକମତ ହୋଇ କହୁଛନ୍ତି ଯେ, ଏହି ଲୋକମାନେ ମୂଳରୁ ଏଠାରେ ନଥିଲେ, ସେମାନେ ବାହାରୁ ଆସିଛନ୍ତି, ଇଉରୋପର ବାହାରୁ ଆସିଛନ୍ତି। ବାହାରୁ ଆସିଥିବା ନଅଟି ଜାତି ଏକାଠି ମିଶି ବର୍ତ୍ତମାନର ଦେଶଟିକୁ ତିଆରି କରିଛନ୍ତି। ନଅଜାତିଙ୍କର ନଅଟି ପତାକା, ଏବେ ମଧ୍ୟ ସ୍ଥାନୀୟ ଉତ୍ସବମାନଙ୍କରେ ସେମାନେ ନିଜର ସ୍ଥାନୀୟ ପତାକାଗୁଡ଼ିକୁ ଫରଫର କରି ଉଡାନ୍ତି। ନଅଟି ଜାତି ଅନୁସାରେ ଦେଶରେ ନଅଟି ପ୍ରଦେଶ ରହିଥିଲା। ସେଥିରୁ ଗୋଟିଏ ପ୍ରଦେଶକୁ ଗଲା ଯୁଦ୍ଧବେଳେ ରୁଷିଆ ଦଖଲ କରିନେଇଛି, ତେଣୁ ସେଠାରେ ବାସ କରି ଆସିଥିବା ମଣିଷମାନେ ସେଠା ଛାଡ଼ି ଏଣେ ପଳାଇ ଆସିଛନ୍ତି।

 

ଖବରକାଗଜରେ ବଡ଼ ବଡ଼ ହୋଇ ବାହାରିବା ଭଳି କେତେବେଳେ ରାଜନୀତିକ ଘଟଣା ଫିନ୍‌ଲାଣ୍ଡ୍ରେ କେବେ ଘଟେନାହିଁ। ଲୋକମାନଙ୍କର ରାଜନୀତିରେ ଯେତେ ଶ୍ରଦ୍ଧା ନାହିଁ, କ୍ରୀଡ଼ାରେ, ସଙ୍ଗୀତରେ କଳାବିଦ୍ୟାରେ ସତେଅବା ତା’ଠାରୁ ଅନେକ ଅଧିକ ସରାଗ ଓ ଶ୍ରଦ୍ଧା ରହିଛି। ପାଞ୍ଚଦଶଜଣ ଏକାଠି ହେଲେ ସେହି ଦେଶରେ କଦାପି ରାଜନୀତି ଚର୍ଚ୍ଚା କରନ୍ତି ନାହିଁ, ନେତାମାନଙ୍କର ପକ୍ଷନେଇ କଥା ଦ୍ୱାରା ଆଦୌ କୌଣସି ଯୁଦ୍ଧ କରନ୍ତିନାହିଁ। ଅବଶ୍ୟ ଏକଥା ସତ ଯେ, ଫିନ୍‌ଲାଣ୍ଡ୍ରେ ରାଜନୀତି ଅବଶ୍ୟ ରହିଛି, ନେତାମାନେ ବି ରହିଛନ୍ତି। ସେହି ଦେଶରେ ମଧ୍ୟ ରାଜନୀତିକ ଦଳମାନେ ଅଛନ୍ତି ଓ ଲୋକମାନେ ଭୋଟ ଦେଉଛନ୍ତି। ମାତ୍ର ସାଧାରଣ ଜୀବନରେ ରାଜନୀତିକୁ ସବାବଡ଼ ସ୍ଥାନ ଦିଆଯାଉନାହିଁ। ଯେ କୌଣସି ଦେଶରେ ସବୁଠାରୁ ବଡ଼ ସମ୍ପତ୍ତି ଓ ସବୁଠାରୁ ବଡ଼ ଗୌରବ ହେଉଛନ୍ତି ସେହି ଦେଶର ମଣିଷମାନେ। ସେହି ମଣିଷମାନଙ୍କ ପାଇଁ ହିଁ ରାଜନୀତି, ସେଇମାନଙ୍କ ପାଇଁ ଶିକ୍ଷା, ସେହିମାନଙ୍କ ଲାଗି ଅର୍ଥ ଓ ଅର୍ଥର ବ୍ୟବସ୍ଥା। ମଣିଷ କହିଲେ ସବୁ ମଣିଷ, ଜଣେ କାହାରିକୁ ମଧ୍ୟ ଭାଗ୍ୟହୀନ ବା ଅଯୋଗ୍ୟ ବୋଲି କହି ବାଦ୍ ଦିଆଯାଏନାହିଁ।

 

ସୁନ୍ଦର ଦେଶ ଫିନ୍‌ଲାଣ୍ଡ୍ରେ ସମାଜଟିକୁ ମଧ୍ୟ ସୁନ୍ଦର କରି ଗଢ଼ାଯାଉଛି। ଏଥିପାଇଁ ଯାହା ସର୍ବପ୍ରଥମେ ଦରକାର, ସେଠାରେ ସବୁପିଲା ପାଠ ପଢ଼ୁଛନ୍ତି। ସବୁପିଲା ଗୋଟିଏ ପ୍ରକାରର ପାଠ ପଢ଼ୁଛନ୍ତି। ବଡ଼ଲୋକର ପିଲା ହେଉ ଅଥବା ଦରିଦ୍ର ଘରର ପିଲା ହେଉ, ସହରର ହେଉ କିମ୍ବା ଗାଆଁର ହେଉ, ସବୁପିଲା ଗୋଟିଏ ପ୍ରକାରର ପାଠ ପଢ଼ୁଛନ୍ତି। ଦେଶର ବିଧାନ ଅନୁସାରେ ସେଠାରେ ସବୁପିଲା ଅତି କମ୍‌ରେ ଆଠବର୍ଷ ସ୍କୁଲକୁ ଯାଇ ପାଠ ପଢ଼ିବେ। ଭଲ ପାଠପଢ଼ି ଯିଏ ଯେତେ ଉପରକୁ ଯାଇପାରିବ, ତା’ ପାଇଁ ସେତେ ଦୂରଯାଏ ବାଟ ଖୋଲା ହୋଇ ରହିଥିବ। ବାପାମାଆଙ୍କ ପାଖରେ ଧନ ନାହିଁ ବୋଲି କୌଣସି ପିଲାର ପାଠ ଯେ ମଝିରୁ ବନ୍ଦ ହୋଇଯିବ, ସେକଥା ଆଦୌ ନୁହେଁ। ତା’ର ପାଠ ପଢ଼ିବା ଲାଗି ସରକାର ପଇସା ଯୋଗାଇଦେବେ। ଏବଂ, ଯଦି ସତକୁ ସତ ଉପରକୁ ଓ ଆହୁରି ଉପରକୁ ପାଠ ପଢ଼ିବାଲାଗି ଆଉ ଜଣେ ପିଲାର ଯୋଗ୍ୟତା ନାହିଁ, ତେବେ ତା’ ବାପାମାଆଙ୍କ ପାଖରେ ଯେତେ ଅଧିକ ପଇସା ଥିଲେ ମଧ୍ୟ ସିଏ କଦାପି ସେହି ପାଠ ପଢ଼ିପାରିବ ନାହିଁ। ଅର୍ଥାତ୍ ଧନ ଅନୁସାରେ ନୁହେଁ ପ୍ରକୃତ ଦକ୍ଷତା ଅନୁସାରେ ସବୁ କଥାର ବିଚାର ହେବ।

 

ସୁନ୍ଦର ଦେଶ, ଅର୍ଥାତ୍ ସୁନ୍ଦର ସମାଜ- ଫିନ୍‌ଲାଣ୍ଡ୍ ଦେଶରେ ସମସ୍ତେ.ଏହି କଥାଟିକୁ ବୁଝିଥିବା ପରି ମନେହୁଏ। ସେଠାରେ ଦେଶକୁ ଚଳାଉଥିବା ନେତାମାନେ ଏକଥା ବୁଝିଛନ୍ତି, ସାଧାରଣ ଲୋକେ ମଧ୍ୟ ବୁଝିଛନ୍ତି। ସହରର କାରଖାନା ମାନଙ୍କରେ କାମ କରୁଥିବା ମୂଲିଆ ଯେମିତି ବୁଝିଛି, ଗାଆଁର କ୍ଷେତଗୁଡ଼ିକରେ ଆପଣାର ଶ୍ରମ ଓ କୌଶଳ ଖଟାଇ ଫସଲ ଫଳାଉଥିବା କୃଷକ ମଧ୍ୟ ସେକଥା ବୁଝିଛି। ସବୁ ମଣିଷ ସେମାନଙ୍କର ଅଧିକାର ପାଇଛନ୍ତି, ତେଣୁ ନିଜର ଦାୟିତ୍ୱଟିକୁ ମଧ୍ୟ ସମସ୍ତେ ତୁଲାଉଛନ୍ତି। କେହି କାହାରିକୁ ଠକିଦେଇ ଭଣ୍ଡି ଦେଇ ବା ଉପେକ୍ଷା କରି ଆଗକୁ ଚାଲିଯିବାର କୌଣସି ପ୍ରଶ୍ନ ହିଁ ନାହିଁ। ଠକ ଓ ଅସାଧୁ ମଣିଷଙ୍କୁ ଦେଶର ଆଇନ ଶାସ୍ତି ଦେଉଛି। ପଇସାର ବଳ ଦେଖାଇ ରକ୍ଷା ପାଇଯିବାକୁ କୌଣସି ବାଟ ନାହିଁ। ଫିନ୍‌ଲାଣ୍ଡ୍ରେ ଜାତିଭେଦ ନାହିଁ, ବଡ଼ସାନ ଭେଦ ନାହିଁ। ବାବୁ ନାହାନ୍ତି କି ଚାକର ନାହାନ୍ତି। କିଏ କମ୍ ରୋଜଗାର କରୁଛି ବୋଲି ତାକୁ କେହି ସାନ ଦୃଷ୍ଟିରେ ଦେଖୁନାହାନ୍ତି, କେହି ଅଧିକ ଧନ କମାଉଛି ବୋଲି ଅନ୍ୟମାନଙ୍କ ଆଗରେ ବାବୁ ବୋଲି ଦେଖାଇ ହେବାର ମଧ୍ୟ କୌଣସି ବାଟ ନାହିଁ। ସେଠାରେ ମଣିଷର ଭାଗ୍ୟକୁ ମଣିଷ ନିଜେ ଯେପରି ଗଢ଼ିପାରିବେ, ସେଥିପାଇଁ ତାକୁ ସବୁ ପ୍ରକାରେ ସାହାଯ୍ୟ କରିବା ସକାଶେ ସରକାର ରହିଛି, ଦେଶ ରହିଛି, ଦେଶର ଯାବତୀୟ ସମ୍ପତ୍ତି ମଧ୍ୟ ସେହି ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଉଛି। ଅଳସୁଆ ମଣିଷ ହିଁ ସେଠାରେ ହୀନସ୍ତା ହେଉଛି।

 

ଯେଉଁ ମଣିଷର ଯୋଗ୍ୟତା ରହିଛି, ଫିନ୍‌ଲାଣ୍ଡ୍ର ସରକାର ତାକୁ କାମ ଯୋଗାଇ ଦେବାକୁ ଅବଶ୍ୟ ବାଧ୍ୟ। କାମ ଯୋଗାଇଦେଇ ନ ପାରିଲେ ଅନୁରୂପ ଭତା ଦେବାକୁ ବାଧ୍ୟ। ମାତ୍ର, ଏକଥା ମଧ୍ୟ ସତ୍ୟ ଯେ, ସରକାରଙ୍କ ଠାରୁ ନେଇ ଆରାମରେ ରହିବାକୁ ସେହି ଦେଶରେ ଖୁବ୍ ବେଶୀ ମଣିଷ ଆଦୌ ଏକ ଉତ୍ତମ ଜୀବନ ବୋଲି ମନେ କରନ୍ତି ନାହିଁ। ସେହି ଦେଶରେ ଲୋକମାନଙ୍କର ଦରମାରେ ମଧ୍ୟ ଖୁବ୍‌ବେଶୀ ଫରକ ନାହିଁ। ଏକ ଆଧୁନିକ ସମାଜରେ ସମ୍ମାନର ସହିତ ରହିବାକୁ ଯେତିକି ଅର୍ଥ ଦରକାର, ସର୍ବନିମ୍ନ ରୋଜଗାର ହିସାବରେ ଅଧିକାଂଶ ମଣିଷଙ୍କୁ ତାହା ଅବଶ୍ୟ ମିଳେ। ଗୋଟାଏ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ରୋଜଗାର କରୁଥିବା ବ୍ୟକ୍ତିମାନଙ୍କୁ ଟିକସ ଦେବାକୁ ହୁଏ। ସେଠାରେ ଟିକସ ପାଙ୍କି ନାହିଁ। ପାଠ ପଢ଼ା ସହିତ ଅଧିକ ରୋଜଗାର କରିବାର ସେଠାରେ ସେପରି କୌଣସି ସମ୍ବନ୍ଧ ନାହିଁ। ପ୍ରକୃତ ଦକ୍ଷତା ଉପରେ ହିଁ ଅଧିକ ରୋଜଗାର କରିବା ନିର୍ଭର କରୁଛି।

 

ଯୁଦ୍ଧ ପରେ ଏକ ଅତ୍ୟନ୍ତ ଦରିଦ୍ର ଦେଶ ହୋଇ ରହିଥିବା ଫିନ୍‌ଲାଣ୍ଡ୍ ବର୍ତ୍ତମାନ ଇଉରୋପରେ ଗୋଟିଏ ଆଧୁନିକ ଓ ଅଗ୍ରଗାମୀ ଦେଶରେ ପରିଣତ ହୋଇ ସାରିଲାଣି। ବିଜ୍ଞାନର ନୂତନ କୌଶଳମାନ ମଣିଷର ସେବାରେ ଲାଗୁଛି ଓ ମନୁଷ୍ୟର ଜୀବନରୁ ଅନେକ ଅନାବଶ୍ୟକ ଦୁଃଖଭୋଗକୁ ଦୂର କରିଦେଉଛି। ସୁଯୋଗଗୁଡ଼ିକ ଦେଶର ସବୁ ମଣିଷଙ୍କ ସକାଶେ ଅତି ସହଜରେ ଉପଲବ୍ଧ ହୋଇପାରୁଛି। ତେଣୁ, ପ୍ରତ୍ୟେକ ବ୍ୟକ୍ତି ଓ ପ୍ରତ୍ୟେକ ପରିବାର ନିଜକୁ ଉନ୍ନତିର ପଥରେ ଅଧିକରୁ ଅଧିକ ଆଗକୁ ନେଇପାରିବା ଲାଗି ସର୍ବଦା ଉଦ୍ୟମ କରିପାରୁଛନ୍ତି। ଜଣେ ଆଉ ଜଣକୁ ଈର୍ଷା କରିବାର କୌଣସି ବେଳ ନାହିଁ, ଆବଶ୍ୟକତା ମଧ୍ୟ ନାହିଁ। ଫିନ୍‌ଲାଣ୍ଡ୍ ପରି ଦେଶକୁ ଗଲେ ମନେ ହୁଏ, ସେଠାରେ ସତେ ଯେପରି ସରକାର ଓ ଜନସାଧାରଣ ପରସ୍ପରର ସହଯୋଗୀ ହୋଇ ଆଗକୁ ଯାଉଛନ୍ତି। ନେତାର ମୁହଁ ଗୋଟାଏ ଆଡ଼କୁ ତ ଜନସାଧାରଣଙ୍କର ମୁହଁ ଆଉ ଗୋଟାଏ ଆଡ଼କୁ, ସେଠାରେ ଆଦୌ ହେଉନାହିଁ। ଦେଶକୁ ସମସ୍ତେ ନିଜର ଦେଶ ବୋଲି ଅନୁଭବ କରୁଛନ୍ତି, ସରକାରଙ୍କୁ ମଧ୍ୟ ନିଜର ସରକାର ବୋଲି ମନେ କରୁଛନ୍ତି। ଫିନ୍‌ଲାଣ୍ଡ୍ ପ୍ରକୃତରେ ଏପରି ଗୋଟିଏ ଦେଶ, ଯେଉଁଠି କେବଳ ବାହାରର ପ୍ରକୃତି ସୁନ୍ଦର ନୁହେଁ, ସେଠାରେ ଲୋକମାନଙ୍କର ଜୀବନ ମଧ୍ୟ ସୁନ୍ଦର, ସମାଜ ମଧ୍ୟ କେଡ଼େ ସୁନ୍ଦର। ସାରା ପୃଥିବୀର ସବୁ ମଣିଷଙ୍କର ଜୀବନ ଏଭଳି ସୁନ୍ଦର କେବେ ଦେଖିପାରିବ କେଜାଣି ?